କେହି ବୁଝିବେନି
କେହି ବୁଝିବେନି
କିଏ ଶୁଣିବ
ଗହନ ରାତିର ସରୁ ଡ଼ାଳ ଅଗରେ
ବସା ବାନ୍ଧିଥିବା ଚଢ଼େଇ
ଆଉ ତା ସାଥିର କଥା
ଯେତେବେଳେ ଗଛଗଣ୍ଡିକୁ
ଏଇ ଏବେ ଆସିଛି
ଚକ୍ରବାତର ନୋଟିସ
ପରସ୍ପରକୁ କୁଣ୍ଢେଇ
ବସି ରହିବା ଛଡା
ଆଉ କିଛି ଚାରା ନାହିଁ
କିଏ ଶୁଣିବ
ଛାତି ଭିତର ପିଇ ନେଉଥିବା
ସେ ଦୀର୍ଘଶ୍ଵାସ ସବୁକୁ
ଯେତେବେଳେ କେବଳ
ଅମ୍ଳଜାନ ଆଉ ଅଙ୍ଗାରକାମ୍ଳର
ଭେଦ ଜାଣୁଥିବା ବାୟୁମଣ୍ଡଳ
କହି ପାରେନା
କେତେ ଶ୍ଵାସ ପ୍ରେମର-
କେତେ ହତାଶାର
ଆଉ କେତେ ପ୍ରତୀକ୍ଷାର
କିଏ ମାପି ବସିବ
ବାଷ୍ପୀଭୁତ ହୋଇ କେତେଥର ଇଥରରେ
ହଜି ଯାଇଥିବା ସେ ଲୁହକୁ
ଯେବେ ଆଖିରୁ ବହୁଥିବା
ପାଣି ପରି ଲୁହକୁ କାହାର ହାତ
ଉଠି ଯାଏନା ପୋଛିବାକୁ
ବହିଯିବା ଲୁହର ଧର୍ମ କହି
---ରୋକିବା ତ ଦୂର କଥା
କିଏ ମାପିବ
ପେଟ ଚାରିପଟରେ ଥିବା
ଖଣି ଗୁଡିକରେ ଗଚ୍ଛିତ କ୍ଷୁଧାକୁ
ଏଠିତ ସମସ୍ତଙ୍କ ପାଇଁ
ପେଟହିଁ ସବୁଠୁଁ ବଡ଼ ଖଣି
ଜୀଇବା ଚିନ୍ତା ବଡ଼
କମେଇ ବଡ଼
ଉପାର୍ଜନ ବଡ଼
ରୋଜଗାର ବଡ଼
କିଏ ସେଠି ଅଛି
ଅତୀତକୁ ବୁଲି ଚାହିଁବାକୁ
ଯିଏ ବାରୁଦ ସରି ଯାଇଥିବା
ଗୁଳିର ରିକ୍ତ କାର୍ତୁସ ଉପରେ ବସି
ହତାହତ ସୈନିକର
ଗଣତି କରିବ
କିଏ ଅଛି ଏଠି
ଯିଏ ଦିଆ ସରିଥିବା
ଲକ୍ଷ ଚୁମ୍ବନର ସୁମାରି କରିବ
ଯେଉଁ ରାତି ଗୁଡିକର ଅଧିକାଂଶ ଭାଗ
ଆମେ ମୌନ ବସି ରହି
ସାରି ଦେଇଥିଲେ
କିଏ ଗଣିବ
ସେହି ରାତିର
ସିଗାରେଟର ବଟ ପରି
କୀୟଦଂଶ ବଞ୍ଚି ଯାଇଥିବା
ଟୁକୁଡ଼ା ଗୁଡିକୁ
କେବେ ହଜି ଯାଇଥିଲେ
ଯାହା ତୁମ ସକାଳ ପାଇଟି
ଆଉ ମୋ କାର୍ଯ୍ୟବ୍ୟସ୍ତତାରେ
କିଏ ଗୁରୁ ହୋଇ
ବୁଦ୍ଧି ଦେବ
କିଏ ଅଶୁଭକୁ ଅଗ୍ରାହ୍ୟକୁ
ଆଶୀର୍ବାଦ ଦେବ
କିଏ ସେ ପରମ୍ପରାରୁ
କାଟି ଅଲଗା କରିବ
ନୈତିକତାର ଶକ୍ତ ଟ୍ୟାଗକୁ
ତାହା ପାଇଁ ସତେ
କେଉଁ ଛୁରୀ ଅଛି ?
ତୁମେ ବି ମୋ ପରି
ଜାଣି ନେଇଥିଲ ପରିଣତି କଣ
ଅଳସ ସକାଳରେ
ସବୁଥର ଶୁଣେ
ନିରାଶାରେ ବୋଳା
ତୁମ ସେହି ଦୁଇ ପଦ କଥା
"କେହି ବୁଝିବେନି"
ସତ୍ୟ ଜାଣିଲା ପରେ
କଥା ତ ସେଇଠି ସରି ଯାଆନ୍ତା
ମନ ଭିତରେ କିଆଁ ତୁମ
ବାରମ୍ବାର ବିଦ୍ରୋହ ଜନ୍ମ ନିଏ
ଆଉ ମରି ଯାଏ ।
ଏଠି ରହିଥିବ
କେବଳ କଥାଟିଏ
ସମୟର ସାରୁ ପତ୍ରରେ
କିଛି ଖସଡ଼ା ସ୍ମୃତି
କିଏ ସେ ହିସାବ ରଖେ
ରାତି ଅଧେ କେବେ
ଖସି ପଡ଼ିଥିଲା କେତେ
ମାଟିର ଅତଡା
ରକ୍ତ ଚିହ୍ନ ଦେଖି
କିଏ ସେ ବୁଝିବ
ମୃତ୍ୟୁର ଜଙ୍ଗଲ ଭିତରକୁ
କେବେ ହୋଇଥିଲା
ବାଘର ଘୋଷଡା
