କେହି ଅଚିହ୍ନା ମଣିଷ
କେହି ଅଚିହ୍ନା ମଣିଷ
ଜନ୍ମ ଜାତକରୁ ତ
ସବୁ ଅଚିହ୍ନା ମଣିଷ
ଚିହ୍ନୁ ଚିହ୍ନୁ ଆୟୁଷ ସରିଯାଏ ,
କେହି ଅଚିହ୍ନା ମଣିଷର ଆତ୍ମୀୟତାରେ
ଜୀବନ ଆରମ୍ଭ ହୁଏ ।
ଏଠି ଅଜଣା ଫୁଲ ସଙ୍ଗେ
ଅଳିର ସମ୍ପର୍କ
କେତେ ଅଚିହ୍ନା ପକ୍ଷୀର କାକଳି
ନହକା ଡାଳରେ ବସା ବାନ୍ଧିବାର
ଅଦମ୍ୟ ଆବେଗ ।
କିଏ କାହାକୁ ବା ଚିହ୍ନିଚି କେଉଁମତେ !
ମଣିଷ ଚିହ୍ନିବା କ'ଣ ଏତେ ସହଜ ?
ଯିଏ ନିଜକୁ ବି ଚିହ୍ନି ପାରିନି ଜୀବଦଶାରେ
ତା ମନ ତଳ ଅଦେଖା ଚରିତ୍ର ମାନେ
ଖୁବ୍ ସନ୍ତର୍ପଣରେ ନିଜକୁ ଠକି ଚାଲିଥାନ୍ତି
ନିଜ ପାପ ବୋଧ କୁ କାନ୍ଧେଇ ...!
ଆଜି ଅନେକ ଅଚିହ୍ନା ମଣିଷଙ୍କ ପଟୁଆର
ବାଟରେ ଘାଟରେ
ସଭା ସମିତିରେ
କବିତା ପାଠରେ
ମୁଖ ଦର୍ପଣ ର ମସୃଣ ଛାତିରେ
ଭେଟ ହୁଅନ୍ତି ,ଗପନ୍ତି ,
ନିଜ ଅହମିକାର ଆସ୍ତରଣ କୁ
ଆସ୍ତେ ନିରାଭରଣ କରି
ସମ୍ପର୍କର ମୂଳଦୁଆ ଗଢନ୍ତି ।
ସମ୍ପର୍କ ବି ମାପଚୁପ୍
ଯନ୍ତ୍ରୀ ର ସ୍କେଲ ମାପପରି ସୀମିତ
କେବେ ସଂପୂର୍ଣ୍ଣ ଅନ୍ତର୍ଦ୍ଧାନ ହୁଅନ୍ତି ।
ଅଚିହ୍ନା ମଣିଷ କୁ ନେଇ ବି କିଏ ଘର ବସାଏ
ପ୍ରେମ ବାଣ୍ଟେ
ଦୁଃଖ ବାଣ୍ଟେ
ଏଇ ଦାନ ପ୍ରତିଦାନ ଭିତରେ
କେବେ ସଂସାର ହସେ ତ
କେବେ ଉଜୁଡି ଯାଏ
ଅଦିନ ଝଡରେ !
ଭାରି ଲୋଭନୀୟ ଲାଗନ୍ତି ବେଳେ ବେଳେ
ଘୁମୁରୁ ଥିବା ପାରା ଯୋଡିକ
ବାଇ ଚଢେଇ ର ବସା ବାନ୍ଧିବାର
କାକୁସ୍ଥ ପଣ ,
ଭାରି ଆକର୍ଷଣୀୟ ଲାଗନ୍ତି
ପୋଖରୀରେ ପହଁରୁଥିବା ଯୋଡି ହଂସ
ବିରହୀ ଚକୋର ର ସେ
ଉଦାସ ମନ !
କେମିତି ଅଚିହ୍ନା ମଣିଷ ବି
ବେଳେ ବେଳେ ଏକାକାର ହୋଇ ଯାଏ କାୟ ମନ ବାକ୍ୟରେ
ନିଜ ଭିତରେ ଥିବା ଅଚିହ୍ନା ପଣ କୁ
ନିଜେ ଖୋଜିବାରେ !!