କେବେ ଦିନେ ଖୋଜା ପଡ଼େ
କେବେ ଦିନେ ଖୋଜା ପଡ଼େ
କେବେ ଦିନେ ଖୋଜା ପଡେ ନିଜକୁ
ନିଜ ସତ୍ତାକୁ, ନିଜର ଚିନ୍ତା ଓ ଚେତନାକୁ
ଯାହାକୁ ଆମେ ସମର୍ପି ଦେଇଛୁ ସମୟକୁ
ଯେଉଁ ସମୟ ଚକ୍ରରେ ବର୍ତ୍ତମାନ ଓ ଭବିଷ୍ୟତ
ନିମିଷକେ ପାଲଟି ଯାଇଛନ୍ତି ଅତୀତ
ଯାହାର ଅପଚୟ ସ୍ୱାକ୍ଷର ବହନ କରେ
କିଛି ଅଶୁସିକ୍ତ ଦସ୍ତାବିଜ ଅଜ୍ଞାତବାସର ଦିନଲିପି
ଏହାକୁ ପଢ଼ି, ବୁଝି, ଡିକୋଡ୍ କରିବା ସମୟ ସାପେକ୍ଷ
ସୁତରାଂ ହେ ଜୀବନ ! ତୁମେ ଆବିର୍ଭାବ ହୁଅ
ଆମ ପରି କିଛି ଅଲାଜୁକଙ୍କୁ ସାବଧାନ କରିବା ପାଇଁ
ତୁମେ ତ ତ୍ରିକାଳଦର୍ଶୀ- ତୁମେ ପଥ ପଥପ୍ରଦର୍ଶକ ହୁଅ
ଆମରି ହାତ ଧରି ବଢ଼େଇ ନିଅ ହୃତ ଅମରାବତୀକି
ଯେଉଁଠି ଶିଖେଇ ଦେବି ନିଜେ ମରି ଅନ୍ୟକୁ ବଞ୍ଚାଇବାର କଳା-
ଏବେ ସମୟ ସତର୍କ କରି ଦେଉଛି ଜାଗ୍ରତ ପ୍ରହରୀକୁ :
ସ୍ୱାଧୀନତାର ମୂଲ୍ୟ ହେଉଛି ଚିରଜାଗ୍ରତ ରହିବାର କଳା
କେବେ ତୁମେ, ମୁଁ ଓ ସେମାନେ ଏହା ବୁଝିଥିଲେ କି ?
ଏବେ ଖୋଜା ପଡିଛି:
ଅପାଂକ୍ତେୟ ଅତୀତର ମୋହନ ବଂଶୀସ୍ୱନକୁ
ବିମର୍ଷ ବର୍ତ୍ତମାନର ସ୍ଵଦିତ ସୀତାରକୁ
ଏବଂ ଭାନୁମତୀ ଭବିଷ୍ୟତର ନିକଶିତ ନୂପୁର ନିକୁ।
କେବେ ଦିନେ ଖୋଜା ପଡେ ଜୀବନର ଜ୍ୟୋସ୍ମା
ଦୋଛକିରେ ଆଶାର ଆଲୋକ
ଜୀବନ ଜ୍ୟୋତିକୁ ଖୋଜି ବସୁଥିବା ବେଳେ
ଡାକରା ଦିଏ ତାକୁ ସମୟ ।
ଏବେ ଜ୍ୟୋତିକୁ କରି ପାଥେୟ
ତୁମେ ଖୋଜି ପାଅ ଆତ୍ମ ପ୍ରତ୍ୟୟ
ଆଉ ତୁମରି ପାଦଚଲା ରାସ୍ତାର ଏକ ଦିଗବାରେଣୀ :
ଅନତିକ୍ରମଣୀୟ ଦୂରତ୍ୱର ମାଇଲଖୁଣ୍ଟି
କେବେ ଦିନେ ଖୋଜା ପଡେ ସେଇ ଧ୍ରୁବତାରା
ମୋହାକଣ ଭରା ଜୀବିତ ଜୀବନରେ ମାଂସର ଆମନ୍ତ୍ରଣ
କୁହୁଳିନୀ ନିଶାଚରୀରୁ କିମିଆଁରେ ମେଣ୍ଢା ହୋଇଯାଏ ମଣିଷ
ଏଇ ସମ୍ମୋହନର ଛଟାରୁ କୁହୁକ କିମିଆରୁ
ରକ୍ଷାକର ପ୍ରଭୁ ଜଗନ୍ନାଥ, ଜଗତର ନାଥ
ଏଇ ଯେମିତି ସେ ଦିନ ତୁମ ମନ୍ଦିର ବେଢ଼ାରେ
ହାତ ଧରି ବୁଲୁଥିଲୁ ଆମେ ଜରଦଗବ ଦଳ
ପଙ୍ଗପାଳପରି ଖାଇ ଯାଉଥିଲୁ ଆନନ୍ଦ ବଜାର
ତା ପରେ ବି ଯାଇ ଖୋରାକ ଫେଟାଉଥିଲୁ
ସେହି ସ୍ୱପ୍ନବିଳାସୀ ଋତୁରେ କଣ ଖୋଜାଯାଉଥିଲା
ଆମର ପରିଚୟ ? ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ?
