କବରୀବନ୍ଧନ।
କବରୀବନ୍ଧନ।
କାଳକୃତ୍ କାଶ୍ୟପେୟ ଉଠାଇଲେ ନିଶି କପର୍ଦ୍ଦକ,
କମନୀୟ କିରଣରେ ସତେଜିଲା ଏ ବିଶ୍ୱଗୋଲାକ
କାଞ୍ଚନ ବରନୀ ଉଷା ସ୍ୱାଗତିଲା ଦେବ ପ୍ରଭାକର,
କିଞ୍ଚିତେ ସଚଳ ହେଲେ ଜୀବ- ଧରାଧାମ ଚରାଚର
କୁରୁ ପାଣ୍ଡବ ପଟ୍ଟବାସେ ପଡନ୍ତେ ଅରୁଣୀ କିରଣ,
କଏବାର ଶବ୍ଦ ସହ ଭାସି ଆସେ ଅସ୍ତ୍ର ଝଣଝଣ
କଲେ ବେନିପକ୍ଷ ବୀରେ ଘୋରତର ରଣ ସାଜସଜ୍ଜା,
କେ' ରଣଦୁନ୍ଦୁଭି ବାଏ, କିଏ ରଣଭେରୀ ଯୁଦ୍ଧ ବାଜା
କର୍ଣ୍ଣେ ଶୁଣି ସୈନ୍ୟଗଣ ବୀରରସ ବାଦ୍ୟ ଭେରୀ ତୁରୀ,
କରେ ଆୟୁଧ ଆକର୍ଷି ଧରିଲେ କ ନାଶିବେ ବଇରି
କବଚ, ଶିରସ୍ତ୍ରଣ ଆବର ବୀରେ କଲେ ପରିଧାନ,
କନ୍ଦଳ କରିବେ ମୁନିବ ପାଇଁ ବାଜି ଲଗାଇବେ ପ୍ରାଣ
କପି ଏଡାଳୁ ସେଡାଳ ଡିଅଁନ୍ତି ଯେମନ୍ତ ଫକ୍'ଫାକ୍
କିଳିକିଳା ରଡିରେ ସୈନ୍ୟ ତେମନ୍ତ ପୃଥ୍ବୀ କଲେ କମ୍ପ।
କାର୍ମୁକ ଖଡ୍ଗ ମୁଦ୍ଗର ଭାଲ ଢାଲ ଧରିଣ ଅଶେଷ,
କ୍ରୋଧେ ରାଉତ ମାହୁନ୍ତ ପଦାତିକ ମୋଡ଼ିଲେ ଯେ ନିଶ।
କେହୁ ଆସ୍ଫାଳି ଆସନ୍ତି ରେ ରେ କାର କରି ଘୋରତର,
କୃପାଣପାଣି ଝଙ୍କାରେ କୋଷମୁକ୍ତ କରି ତରବାର
କିଏ ବାହାସ୍ଫୋଟ ମାରଇ ଆସ୍ଫାଳି ଆହ୍ଵାନେ ଅନ୍ୟକୁ
କେ ଆଗ ପଛ ନ ଚିନ୍ତି ଡେଇଁପଡ଼ଇ ରଣପ୍ରାଙ୍ଗକୁ
କାର୍ମୁକ ଟଙ୍କାରେ ଘୋର ସିଂହନାଦ କରି ବାଣାୟିତ
କେ ଯୁଦ୍ଧଉନ୍ମାଦ ଶୁନ୍ୟେଫିଙ୍ଗେ ଭାଲ ହୋଇଣ ଉଚ୍ଚାଟ
କାଶ୍ୟପେୟ କର ପଡି ଝଲସଇ ଯୁଦ୍ଧ ଅସ୍ତ୍ରଶସ୍ତ୍ର,
କିମ୍ଭୁତ କିମାକାର ପରିଦୃଷ୍ଟ ହୁଅଇ କୁରୁକ୍ଷେତ୍ର
କଳନିନାଦେ ଉଛୁଳେ ଭୀମକାନ୍ତ ଜଳରସମ୍ଭାର,
କୁବେର ନଗରୁ ଯେହ୍ନେ ପ୍ରକମ୍ପଇ ଉତ୍ତଳ ଜୁଆର
କନ୍ଦର ଗିରିରୁ ଯେହ୍ନେ ଅଣଚାଷ ନିର୍ବିଘ୍ନେ ବହଇ,
କମ୍ପାଏ ଘୁର୍ଣ୍ଣିତାଣ୍ଡବ ନିର୍ବିଚାରେ ତୁହାଇ ତୁହାଇ
କୁରୁକ୍ଷେତ୍ର ଯୁଦ୍ଧଭୁମି ତେସନେ ଦିଶେ ଭୀମଭୈରବ,
କଟାଳ ବିକଟାଳ ବୀରରସ ଭାସି ଆସେ ସଦୈବ
