କବିତା ଓ ପୂର୍ଣ୍ଣତା
କବିତା ଓ ପୂର୍ଣ୍ଣତା
1 min
131
ନଈ ହୋଇ
ବହିଯାଏ କବିତା
କିଏବା ଯୁଟେଇ ପାରିବ ସାହସ
ତା'ର ପଥ ଓଗାଳିବ,
ତା'ର କଳ କଳ
ଛଳ ଛଳ ସ୍ଵର
ଭେଦିଯାଏ ଯାତନାର
ଦୁର୍ଭେଦ୍ୟ ପାହାଡ଼ ।
ସତରେ ...
ପାହାଡ଼ଟା
କେତେ ଯେ ନିର୍ଦ୍ଦୟ
କବିତାର କୋମଳ ତନୁକୁ
ସେ କଳଙ୍କିତ କରେ,
ମଥାରେ ଧରି
ସବୁ ପ୍ରତାରଣା
'କବିତା' ତା'ର
ଅସରନ୍ତି କ୍ଷୁଧାରେ
ଡେଇଁଯାଏ ଯେତେ ସବୁ
ଲାଜର ଲକ୍ଷ୍ମଣ ରେଖା
ଅବା
ବିଷାଦର ବିଭୀଷିକା ।
ସେ କେବେ ସାଜେନାହିଁ
ଧ୍ବଂସର ଧୂମକେତୁ,
ସେ ନୁହେଁ
ଧୂ ଧୂ ଖରାରେ ଜଳୁଥିବା
ଖଇଫୁଟା ଖରା ।
ସେ ତ ପ୍ରେମର
ନୀଳ ଢେଉ ମାଳା,
ଅସୀମ ତୃଷାରେ
ଜଳୁଥିବା ଜୀବନକୁ
ସେ ଦିଏ
ପରିତୃପ୍ତିର ପୂର୍ଣ୍ଣତା ।।
