କବିତା ମୋ ପ୍ରେମ
କବିତା ମୋ ପ୍ରେମ
କବିତାରେ ଖୋଜେ
ମୋ' ପ୍ରିୟ ପ୍ରେୟସୀ,
କବିତାରେ କଳ୍ପେ ମାଆ ।
କବିତା ଯେ ମୋର
କଳ୍ପନାର ରାଣୀ
ମୋ' ନିଃସ୍ୱ ଜୀବନ ସାହା ।
କବିତା ହିଁ ମୋର
ସଖା ସହଚର
ବଦାନ୍ୟ ବନ୍ଧୁର ସ୍ୱର ।
ହସିଥାଏ ନେଇ
ଖେଳିଥାଏ ନେଇ
ତା' ଉନ୍ମେଷ ଉପହାର ।
କବିତାରେ ଦେଖେ
ଜହ୍ନର ଜୋଛନା
ସରଗର ପାରିଜାତ ।
ଭଗ୍ନ କୋଣାର୍କର
ସ୍ୱର୍ଣ୍ଣ ଇତିହାସ
ପୁଣି,ମୋ' ସ୍ମୃତି ସୁବାସ ।
ବେଦର ବର୍ଣ୍ଣନା
ଗୀତାର ଗାମ୍ଭୀର୍ଯ୍ୟ
ମୋ'କବିତା କଳ୍ପଲତା ।
ଗଙ୍ଗା ପବିତ୍ରତା
ଯମୁନା ଶୁଭ୍ରତା
ସରସ୍ୱତୀ ତା'ର ମାତା ।
ସମସ୍ତେ ଭାବନ୍ତି
ମୁଁ ପ୍ରେମ କବିତା
କାହାପାଇଁ ଲେଖୁଅଛି ।
କବିତା ମୋ' ପ୍ରେମ
ପ୍ରେମ ମୋ'କବିତା
ତାକୁ ନେଇ ମୁଁ ବଞ୍ଚିଛି ।
ସେମିତି ଭାବିଲେ
ବିଶ୍ୱବାସୀ ମୋର
ପୁଣ୍ୟ ପ୍ରେମ ଅଗଣାରେ ।
ସମସ୍ତଙ୍କୁ ନେଇ
ସାଇତି ରଖିଛି
ମୋ'ହୃଦୟ ଇଲାକାରେ ।
ନିଶୀଥ ରଜନୀ
ଶୁଭ୍ର ନିଶୀଥିନୀ
ତା' ସଂଜ୍ଞାରେ ପ୍ରଜ୍ଞାପିତ ।
ସିଦ୍ଧାନ୍ତରେ ସିଦ୍ଧ
ନିଶ୍ଚଳା,ନିଖୁଣ
ପ୍ରୀତିପର୍ଣ୍ଣା ନାମାଙ୍କିତ ।
ନାମାଙ୍କିତ ନୁହେଁ
ନାମରେ ନାମରେ
ପ୍ରଜ୍ଞାରେ ପ୍ରଥିତଯଶା !
ସେଇ ମୋ' ଭାରତୀ
ସେଇ ସରସ୍ୱତୀ
ମୋ' ପାଇଁ ଚିର ନମସ୍ୟା !!
