କବିତା ମୋ ବଧୁ ନିରୂପମା
କବିତା ମୋ ବଧୁ ନିରୂପମା
1 min
942
ହୃଦୟର କଥା କୁହେ ମୋ' କବିତା
ସଞ୍ଜୁ ପଣେ ଅନୁପମ ।
ନିଆରା ସୁନ୍ଦରୀ ତା'ଭାବ ଅପ୍ସରୀ
ଲାବଣ୍ୟ ସେ, ନିରୂପମ ।
ଭାବରେ ବାସ୍ତବ ଭଙ୍ଗୀରେ ସୌଷ୍ଠବ
ଭାଷା ତା' ଜୀବନ ଗୀତି ।
ଭାଷାରେ ଭାଷାରେ ଭାବ ବାଢିଥାଏ
ସଜାଇ ସାର୍ଥକ ପ୍ରୀତି ।
ସମାଜ ପାଇଁ ସେ ଚିର ଭୁଆସୁଣି
ପ୍ରତିବିମ୍ବ ଓଢଣୀରେ ।
ସମାଜର ବାର୍ତ୍ତା ସମାଜକୁ ଦିଏ
ସମାଜର ଆଇନାରେ ।
ତା'ଆଖିରେ ଥାଏ ସଚେତନ ବାର୍ତ୍ତା
ପାରମ୍ପରିକ ବନ୍ଧନ ।
ତଥାପି ଗାଏ ସେ ଜୀବନ ସଙ୍ଗୀତ
ସଜ୍ଜିତ ଆପଣା ପଣ ।
କବିତା ଭିତରେ କଳ୍ପନା ନାୟିକା
ବିଭୂଷଣେ ଉପନୀତ ।
କବିଙ୍କ ହୃଦୟ ବିଶାଳତା ଆଜି
ଦେଖୁଛି ସାରା ଜଗତ ।
ଅର୍ଦ୍ଧାଙ୍ଗ ଈଶ୍ୱର ନୁହେଁ ମୁଁ ତା'ପାଇଁ
ସେ କିନ୍ତୁ ମୋ'ର ଈଶ୍ୱରୀ ।
ମର୍ମରେ ମର୍ମରେ କର୍ମରେ କର୍ମରେ
ମୋ' ଆତ୍ମିକ ସହଚରୀ ।
ନାୟିକା ନୁହେଁ ସେ,ବଧୁ ନିରୂପମା
ସର୍ବାଙ୍ଗ ସୁନ୍ଦରୀ,ସୁଶ୍ରୀ ।
କଳ୍ପନା ଜଗତ ରଜନୀ ଗନ୍ଧା ସେ
ଅସୁମାରୀ ଆଶାବରୀ ।
ଚିତ୍ରପଟ ତା'ର ଚିତ୍ରା ରାଣୀ ପରି
ସୁଢ଼ଳ ସୁନା ପ୍ରତିମା ।
କଥାରେ କଥାରେ ନଜରେ ନଜରେ
ମୋ'କବିତା ମୋ'ଉପମା ।
ବନ୍ଧ୍ୟା ପଣ ମୋର ଦୂର କରିଥାଏ
ପ୍ରୀତି ପୂର୍ଣ୍ଣ ପ୍ରଲେପରେ ।
ଶୟନେ ସପନେ ନମ୍ର ସମ୍ଭାଷଣେ
ରହିଥାଏ ମୋ'ସାଥିରେ ।
ବନ୍ଦିନୀ ସେ ନୁହେଁ ମୋ' ହୃଦୟ କୋଣେ
ମୁଁ କିନ୍ତୁ ତାଆରି ବନ୍ଦୀ ।
ଅଲିଭା ଭାସ୍ୱର ତା' କୃତି ଭାସ୍କର
ସମାଜେ ଅପ୍ରତିଦ୍ବନ୍ଦୀ ।
