କବିତା ହୋଇ ଝରିବି
କବିତା ହୋଇ ଝରିବି
କାହିଁକି କହୁଛ କା'ପାଇଁ ଏ ମୋର
କବିତା ଲେଖିଛି ବୋଲି ,
ଜାଣିନ କି ତୁମେ ତୁମ କଳ୍ପନାରେ
ଆପେ ଆପେ ଯାଏ ଝରି !
ବଉଦ କେବେ କି ବସୁଧା ପାଇଁକି
ଜାଣି ଜାଣି ମେଘ ଢାଳେ,
ଋତୁପର୍ଣ୍ଣା ସିଏ ଲଗ୍ନର ଋତୁରେ
ଝରେ ସିନା ଅବିରଳେ ।
ବଉଦ ଜାଣିଛି ବସୁଧା ବକ୍ଷର
ଅବ୍ୟକ୍ତ ଅକୁହା କଥା,
ଅନୁଭବିଅଛି ନିଃସଙ୍ଗ ପ୍ରାଣର
ବେଦନାର ଉର୍ବରତା ।
ପ୍ରିୟ ମଣିଷକୁ ପ୍ରାଣର ପ୍ରସ୍ତାବ
ବାଢିବାକୁ ପଡେନାହିଁ,
ଆପେଆପେ ଝରେ ଅଳ୍ପ ଇସାରାରେ
ଧାର ଧାର ଲୁହ ହୋଇ ।
ସେଦିନ ସନ୍ଧ୍ୟାର ଆରକ୍ତ ଆଭାରେ
ମୋ'ତୂଳୀର ଧାରେ ଧାରେ,
ଆଙ୍କି ହୋଇଗଲା ତୁମ ଚିତ୍ରପଟ
ଅଜଣା ମୋ'କଳ୍ପନାରେ ।
କଳ୍ପନା ହେଲେ ବି ବାସ୍ତବ ବାସ୍ତବ
ତୁମ ଛବି ବାସୁଥିଲା,
ସେଇ ସୁରଭିରେ ଅଗଣା ତୁଳସୀ
ମହକେ ମହକି ଗଲା ।
ଫୁଲର ମହକ ମହକାଇ ଦିଏ
ଅଗଣାର ଉପବନ,
ତୁମ ମହକରେ ମହକି ଉଠିଲା
ମନ ନନ୍ଦନକାନନ ।
ମଉନେ ମଉନେ କେତେକେତେ କଥା
ଦରଦୀ ଆଖିର ସୁରେ,
ମଉନାବତୀ ଗୋ ଗାଇଦେଇ ଗଲ
ନୀରବରେ ଅଶ୍ରୁ ନୀରେ ।
ବନ୍ଧୁ ତ ଅଛନ୍ତି ଆସନ୍ତି,ରୁହନ୍ତି
ରହି ପୁଣି ଚାଲିଯା'ନ୍ତି,
ଚାଲିଗଲା ବେଳେ ନିସ୍ତବ୍ଧ ପ୍ରହାର
ରୁଦ୍ଧିଦେଇ ହଜିଯା'ନ୍ତି ।
ତୁମ ଭାବନାରେ ବହଳ ବହଳ
ମୋ'ପାଇଁ କଳ୍ପ ପ୍ରକଳ୍ପ
ମୋ' ସୁଖ୍ୟାତି ପାଇଁ ସମ୍ପ୍ରତି ସମୟେ
ଭରିଛି ଶୁଭ ସଂକଳ୍ପ ।
ହେ ବନ୍ଧୁ ବରେଣ୍ୟ ମୋ ପ୍ରଜ୍ଞାର ପୁଣ୍ୟ
ଅନ୍ତରାଳ ଅଭିଷେକ,
ଆଶା ଆଲୋକର ପ୍ରଶସ୍ତ ପ୍ରତୀକ
ମୋ'ଆତ୍ମାର ଅଭିଲେଖ ।
ଅଭିଲେଖ ତୁମେ, ଆଙ୍କିଦେଇ ଯାଅ
ଅଙ୍ଗେ ଅଙ୍ଗେ ଆତ୍ମକଥା,
ସେ ଆତ୍ମକଥାର ଆତ୍ମାରେ ଆତ୍ମାରେ
ବଞ୍ଚିବାର ମାଦକତା ।
ବଞ୍ଚିବାର ସେଇ ମାଦକତା ନେଇ
କାହାଣୀ ମୁଁ କଳ୍ପୁଥିବି,
ସେଇ କାହାଣୀର ପ୍ରେରଣାକୁ ନେଇ
କବିତା ହୋଇ ଝରିବି ।
