କବିତା ବନିତା ଲତା
କବିତା ବନିତା ଲତା
କିଛି ଆଶା ନେଇ କେବେ ଲେଖେନାହିଁ
କବି ନିଜର କବିତା ,
ସ୍ବତଃସ୍ପୃତ ଭାବେ ଉଛୁଳି ପଡ଼ଇ
କବିତା ବନିତା ଲତା ।
ଛଳ ଛଳ ହୋଇ ବହି ଚାଲିଯାଏ
କେତେ ସ୍ମୃତି କେତେ ଗାଥା,
କବି ଲେଖି ଚାଲେ କବିତା ଭିତରେ
ନିଜସ୍ଵ ମନର କଥା ।
କେତେବେଳେ ଲେଖେ ନିଜପାଇଁ କିଛି
କେତେବେଳେ ଅନ୍ୟ ପାଇଁ,
ଲେଖିଥାଏ କିଛି ଦେଶ ଜାତି ପାଇଁ
ଲେଖେବି ପ୍ରକୃତି ପାଇଁ ।
କେତେବେଳେ ଲେଖେ ପ୍ରଣୟ ଗୀତିକା
କେତେବେଳେ ଶିଶୁ ପାଇଁ,
କେତେ ବେଳେ ପୁଣି କଲମ ଚଲାଏ
ଭାବପୂର୍ଣ୍ଣ ଭକ୍ତି ନେଇ ।
କେତେବେଳେ କବି କଟାକ୍ଷରେ ଲେଖେ
କେବେ ପୁଣି ବ୍ୟଙ୍ଗବର୍ଣ୍ଣ,
ଶାଣିତ ଶବ୍ଦରେ ଛନ୍ଦ ଅଳଙ୍କାରେ
କବିତାଟି ରୁଚିପୂର୍ଣ୍ଣ ।
କବିତାର ବିନା କବି ହୃଦୟଟି
ମୃତ ପ୍ରାୟ ହୋଇଥାଏ ,
ଲୋକ ଲୋଚନକୁ ଆସି ନ ପାରିଲେ
ବଣମଲ୍ଲୀ ସାଜିଥାଏ ।
ବଣରେ ଫୁଟିକି ଝଡିଯାଏ ସିନା
ସୀମିତ ସୀମାରେ ରହି ,
ସୁଗନ୍ଧିତ ହୋଇ ମହକି ପାରେନି
ଜନ ସମାଜରେ ସେହି।
ପାଇବା ଆଶାରେ କବି ଲେଖେ ନାହିଁ
ସମର୍ପିତ ଭାବନାରେ,
ସମାଜ ପାଇଁକି ରଚି ଚାଲିଥାଏ
କବି ଲେଖନୀ ମଧ୍ୟରେ ।
ଲେଖନୀର ଯଦି ମୂଲ୍ୟ ମିଳିଯାଏ
ଭାବ ବିହ୍ଵଳିତ ହୁଏ ,
ପାଠକଙ୍କ ଠାରୁ କୋଟି ମାନପତ୍ର
ମତାମତେ ପାଇଥାଏ ।
ଲେଖିଲେ କବିର ଭାବର କବିତା
କେବେ ହେଲେ ନ' ସରିବ ,
କବି କଳ୍ପଲତା ମାଡ଼ି ଚାଲୁଥିବ
ରାତି ପାହି ଦିନ ହେବ।