କବିର ଭାବନା
କବିର ଭାବନା
କବିର ଭାବନା ଭାରି ଅନାବନା
ପର୍ବତେ ଫୁଟାଏ ଫୁଲ
ପ୍ରକୃତି କୋଳରୁ ଧରେ ସେ ଚପଳା
ସିଂହକୁ ବି କରେ ଗେଲ ॥
କବି ସଂଯୋଜକ କବି ବିଯୋଜକ
କବି ସାରସ୍ଵତ ସାଧକ
କବି ସଂଗଠକ କଳ୍ପନା ବିଳାସି
ସଂସ୍କୃତିର ପୃଷ୍ଠପୋଷକ ॥
ସୌନ୍ଦର୍ଯ୍ୟ ପିପାସୁ ପ୍ରେମେ ମସ୍ ଗୁଲ୍
ଆଙ୍କେ ସେ ରଙ୍ଗିନ୍ ଛବି
ବିରହ ଜ୍ୱାଳାକୁ କରି ଜ୍ୱାଳାମୟୀ
କରେ ପ୍ରଶମିତ କବି ॥
ମରେ ନାହିଁ କବି କବିର କବିତା
କବି କାଳଜୟୀ ସ୍ରଷ୍ଟା
କବି ସଂସ୍କାରକ କବି ବିସ୍ଫୋରକ
ସମାଜର ଦିଗ ଦ୍ରଷ୍ଟା ॥
ତେଲ ଲୁଣର ସଂସାର ଭିତରେ
ଥିଲେ ଯେତେ ଅସୁବିଧା
ନଥାଏ ଶୋଚନା କବିର ମନରେ
ସାଧନାରେ ରତ ସଦା ॥
ସମାଜ ଉତ୍କର୍ଷେ ଆଲୋକ ବର୍ତ୍ତିକା
ଜାଳି ଜଳିଥାଏ କବି
ଘେନ ପ୍ରଣିପାତ ହେ ଜାତି ନମସ୍ୟ
ନବ ଆଲୋକର ରବି ॥