STORYMIRROR

Santosh Kumar Nayak

Children Stories Classics Inspirational

3  

Santosh Kumar Nayak

Children Stories Classics Inspirational

କବିବର ରାଧାନାଥ ରାୟ

କବିବର ରାଧାନାଥ ରାୟ

1 min
652

( ଚୋଖି ଛନ୍ଦରେ ରଚିତ)


ଆଧୁନିକ ଯୁଗ ସ୍ରଷ୍ଟା ଲେଖିଣ କାବ୍ୟ କବିତା

କବିବର ଉପାଧିରେ ହେଲ ଭୂଷିତ,

କେଦାରପୁରର ମାଟି ଜନ୍ମଦେଲା ହୀରା ଗୋଟି

ଧନ୍ୟ କଲ ଉତ୍କଳକୁ ସୁଯୋଗ୍ୟ ସୁତ, 

ଛୁଟାଇଲ ଲେଖନୀ ମୁନ,

ଲକ୍ଷ ଲକ୍ଷ କବି ମଧ୍ୟେ ହେଲ ପ୍ରଧାନ ।୧।


କାବ୍ୟରେ ନନ୍ଦିକେଶ୍ୱରୀ ଚିଲିକା କେଦାରଗୌରୀ

ମହାଯାତ୍ରା ଦରବାର ଉଷା ପାର୍ବତୀ,

ବୃକ୍ଷ ଲତା ଗିରି ବନ କେତେ ନଦୀ ହ୍ରଦ ମାନ

କଲମରେ ଆଙ୍କିଦେଲ ଭବ୍ୟ ପ୍ରକୃତି,

ତୁମ ଦୂତ ହେଲା ଜଳଦ,

ପ୍ରିୟା ପାଶେ ପହଞ୍ଚିଲା ନେଇ ସମ୍ବାଦ ।୨।


ମିଳନ ଥିଲେ ବିରହ ହସ ଥିଲେ ଅଛି ଲୁହ

ପ୍ରେମ ଥିଲେ ପ୍ରତାରଣା ଅଛି ନିଶ୍ଚୟ,

ମଦନର ଫୁଲଶର ବାଜିଲା ସୂର୍ଯ୍ୟ ଶରୀର

ଧାଇଁଗଲା ଚନ୍ଦ୍ରଭାଗା କରିଣ ଭୟ,

ମିଶିଗଲା ନୀଳ ସାଗରେ,

ଭଗ୍ନ ହେଲା କୋଣାରକ ଋଷି ଶାପରେ ।୩।


ଉର୍ବଶୀ ପ୍ରତାପରୁଦ୍ର ସାବିତ୍ରୀ ଦେବୀ ଚରିତ୍ର

ତୁଳସୀ ସ୍ତବକ ଆଦି କବିତା ମାନ,

ମହାମାନୀ ଦୁର୍ଯ୍ୟୋଧନ ରକ୍ତନଦୀ ସନ୍ତରଣ

କେ କଳି ପାରିବ ତୁମ ପୁରାଣ ଜ୍ଞାନ ?

ଖାଲି ନୁହଁ କାବ୍ୟ କବିତା,

ଗଦ୍ୟ ସାହିତ୍ୟରେ ମଧ୍ୟ ଥିଲା ଦକ୍ଷତା ।୪।


ଇତାଲୀୟ ଯୁବା ପରି ଗଳ୍ପ ରୂପାନ୍ତର କରି

ଅନୁବାଦ ସାହିତ୍ୟର କଲ ଉତ୍ଥାନ,

ଦାର୍ଶନିକ ଚିନ୍ତାଧାରା ବିବେକୀ ପ୍ରବନ୍ଧେ ଭରା

ଧନ୍ୟ ରାଧାନାଥ ସର୍ବ ପ୍ରତିଭାବାନ,

ମାତା ବୀଣାପାଣି ଆଶିଷେ,

ଚିରକାଳ ରହିଥିବ ଜନ ମାନସେ ।୫।


ନାହିଁ ଭାଷା ଜ୍ଞାନ ମମ କି ଲେଖିବି ଗୁଣ ତୁମ?

ତୁମ ପାଦ ଧୂଳି ସମ ନୁହଁ ଏ ଦୀନ,

ଭକ୍ତିପୂତ ଶ୍ରଦ୍ଧା ନେବ ଦୋଷ ଥିଲେ କ୍ଷମା ଦେବ 

ଉତ୍କଳ ମଊଡମଣୀ କବି ମହାନ ,

ଆଶୀର୍ବାଦ ମଥାରେ ଥାଉ,

କବିକଣ୍ଠ କବିଗୁଣ ଆନନ୍ଦେ ଗାଉ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍