STORYMIRROR

Pranati Panda

Others

3  

Pranati Panda

Others

କାୟାକଳ୍ପ

କାୟାକଳ୍ପ

1 min
265


କେଉଁଠୁ ଆରମ୍ଭ କରିବି କେଜାଣି 

ସ୍ମୃତି ମୋ' ଫେରି ଯାଉଛି,

ଘର ଭିତରେ ମୋ' ବିଦାୟ ବେଳାଟା

ମନେ ମୋ' ପଡୁଛି କିଛି ।୧।  


ମାଆ କାନ୍ଦୁଥୁଲା ବାହୁନି ବାହୁନି

ବାପା ତୁନି ପଡ଼ିଥିଲେ, 

ଭଉଣୀଙ୍କ କାନ୍ଦ ଧୀରେ ଶୁଭୁଥିଲା

 ଭାଇ ସମ୍ମୁଖେ ନଥିଲେ ।୨।


ଛାତି ଦକ ଦକ ଛନକା ଭିତରେ

ନୂତନ ଜୀବନ ପଥେ,

ଘର ଲୁଚିଗଲା କିଛି କ୍ଷଣ ପରେ

ଅତିକ୍ରାନ୍ତ ରାସ୍ତା ମଧ୍ୟେ ।୩।


ନୂତନ ଘରର କିଛି କ୍ଷଣ ପୂର୍ବୁ

ସବାରିର କାୟାକଳ୍ପ ,

ଦେଖି ମୁଁ' ବସିଲି ସବାରି ଭିତରେ

ମଥା ନୁଆଁଇଣ ଅଳ୍ପ ।୪।


ତୁନି ପଡ଼ିଥିଲା ଓଠ ଆଉ ଆଖି

ହୁକୁମ୍ ଭାଇର ଡାକେ ,

ଅତି ଆଦରରେ ଦେଖନ୍ତି ସଭିଏଁ 

ଓଢ଼ଣୀଟିକୁ ମୁଁ ଟେକେ ।୫।


ନିଃଶବ୍ଦ ରାତିର ଗମ୍ଭୀରା ଘରରେ

 ଛାତିରେ ଛନକା ପଶେ,

 କୌଳିକ ପ୍ରଥାର ନୂଆ ବୋହୂ ରୂପେ

ଗୃହ ଭିତରେ ପ୍ରବେଶେ ।୬।


ଶାଢୀ ଖସିଯାଏ ରାତି ବିଛଣାରେ

ଅଣ୍ଟାରେ ଭିଡେ ସଅଳେ ,

ରାତି ପାହିଗଲେ  ହଜାଏ ନିଜକୁ

ଲାଗଇ କର୍ମ ଜଞ୍ଜାଳେ ।୭।


କେଉଁଠି ଆରମ୍ଭ ଅଜଣା ରାସ୍ତାଟା 

କେଉଁଠି ଏହାର ଶେଷ, 

ପାଶୋରି ଦେଇଛି ସେ କଥା ଏ ମନୁ

ଲାଗେ ଭାରି ଅବଶୋଷ।୮।


ଭାରି ଲାଗିଲାଣି ଜୀବନ ବହୁତ 

ରୋଗ ଜ୍ଵାଳା ମାଡ଼ି ଆସେ, 

ଅଜଣା ଆଶଙ୍କେ ମୁଦି ହୋଇଯାଏ

 ଆଖିପତା ମୋ ଅବଶେ ।୯।


 ଏବେ ମଥାନର ଲାଉ ଡଙ୍କ ପରି

 କେବେ ମାଡ଼େ କେବେ ଛିଡ଼େ,

 ସୁଖ ଦୁଃଖ ଭରା ଜଞ୍ଜାଳ ଭିତରେ 

ପାଞ୍ଚ ମନକୁ ମୁଁ' ଯୋଡେ ।୧୦ ।


ବଦଳି ଗଲାଣି ଅସ୍ତିତ୍ୱ ମୋହର

 ଜୀବନର କାୟାକଳ୍ପ ,

ସରି ସରି ଆସେ ସଳିତା ଦୀପରୁ 

ଜଳିବାକୁ ଅଛି ଅଳ୍ପ ।୧୧।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍