STORYMIRROR

Biswanath Nayak

Others

4  

Biswanath Nayak

Others

କାଠଗଡା

କାଠଗଡା

1 min
274

                                                

ବିବେକର ଚଉକିରେ ବିଚାରକ ସାଜି,

ନିଜେ ଜେରା ଆରମ୍ଭ କରିଛି ଆସାମୀକୁ,

କାଠଗଡା ଭିତରେ ମୁହଁ ପୋତି ଠିଆ ହୋଇଥିବା,

ନିଜର ସେ ଅନ୍ତର ଆତ୍ମାକୁ।

*    *      *       

ଯେଉଁଦିନ କୁଆଁ କୁଆଁ ରାବ ଦେଇ,

ପାଦ ଦେଲି ପୃଥିବୀ ବୁକୁରେ,

ବାପା ମାଆ ସାହି ଓ ପଡିଶା,

ସଭିଙ୍କର ମନ ଦରିଆରେ,

ଉଠିଥିଲା ଆଶା ଆଉ ଆନନ୍ଦର ଢ଼େଉ।

କେତେ ଆଶା କେତେ ସମ୍ଭାବନା,

ସକାଳର ପହିଲି କିରଣ ପରି,

କେତେ ସ୍ଵପ୍ନ କେତେ ଯେ କଳ୍ପନା।                         ମୁଁ ସବୁ ସାକାର କରିବି ।।

*  *    *      *      *    *

ଆଦର୍ଶର ପଥେ ପ୍ରାନ୍ତେ ବୁଲି,

ଦରଦୀ ବନ୍ଧୁ ସାଜିବି ଦୁଖୀଟିଏ ପାଇଁ।

ଭୋକିଲା ପେଟର ଜ୍ଵାଳା,

ମୋ ଆଖିରୁ ଝରିଯିବ ଲୁହଧାର ହୋଇ।

ବାଟଭୁଲା ପଥିକକୁ ରାହା ଦେଖାଇବି।

ନିଆଶିରୀ ଲୋକଟିର ଆଶାବାଡି ହେବି,

ଶୁଖିଲା ମୁହଁରେ ମୁଁ ହସ ଫୁଟେଇବି।

ସତ୍ୟର ପୂଜାରୀ ସାଜି ଅନ୍ୟାୟକୁ ବିରୋଧ କରିବି।

ଦେଶ ଆଉ ଦଶ ହିତେ ପ୍ରାଣବଳି ଦେବି।

ସମାଜ ଧାନ କ୍ଷେତରୁ ,

ସ୍ନେହ ପ୍ରେମର ଫସଲ ଅମଳ କରିବି।

ଯେତେ ଜାତି,ଯେତେ ଧର୍ମ, ଯେତେ ବର୍ଣ୍ଣ,

ମନ୍ଦିର ଓ ମସଜିଦ୍ ଯେତେସ୍ଥାନ,                        

 ଆଲ୍ଲା ଈଶ୍ଵର ଓ ଯୀଶୁ ଯେତେ ନାମ ,  

ସବୁକିଛି ମୋ ଭିତରେ ହୋଇଯିବ ଲୀନ,

ନଦୀ ପାଣି ସାଗରରେ ମିଶି ନିଜ ସତ୍ତା ହରାଇଲା ପରି।   *         *          *            *

 କିନ୍ତୁ ଆଜି? ସମସ୍ତଙ୍କ ସ୍ଵପ୍ନର ଉଦ୍ୟାନ !

ଉଜୁଡିଛି ମୋ ସ୍ଵାର୍ଥର ଝଡ ଓ ବାତ୍ୟାରେ।

ସେମାନଙ୍କ ଆଶାର ସୂରୁଜ ଆଜି ଅସ୍ତ ହୁଏ,

ପରଶ୍ରୀକାତରତାର ପାହାଡ଼ ଉହାଡେ,

ସଞ୍ଜବେଳ ଅସ୍ତଗାମୀ ସୂର୍ଯ୍ୟ ପରି।

ମୁଁ ଆଜି ବାଟ ଚାଲୁଛି ଅଜଣା ବାଟରେ।

ସମସ୍ତେ ଦଉଡୁଛନ୍ତି ମୁଁ ଦଉଡୁଛି ,

ସ୍ଵାଭିମାନ ଗନ୍ଧ ନାହିଁ, ସବୁକିଛି ଦେଖାଶିଖା।

ଜାଣେନା ମୁଁ ନିଜ ଲକ୍ଷସ୍ଥଳ।

ଖାଲି ବାଟ ଚାଲିବାଟା ସାର।

ଭଦ୍ରତାର ମୁଖା ପିନ୍ଧି, ଅଭିନୟ କରିକରି ଦୁନିଆ ଆଗରେ,

ଯେତେ ଚେଷ୍ଟା କଲେ ସୁଦ୍ଧା ,

ଲୁଚାଇ ପାରୁନି ମୁହଁ ବିବେକର ଆଇନା ଆଗରେ।

ସମୟ କାଠଗଡାରେ ଠିଆ କରି,

ମୋ ବିବେକ ମୋତେ ଆଜି ଜବାବ୍ ମାଗୁଛି।

କାହିଁକି ମୁଁ ଭାଙ୍ଗିଦେଲି ସମସ୍ତଙ୍କ ସ୍ଵପ୍ନ?

ମୋ ସ୍ଵାର୍ଥର ସାଗରରେ,

କାହିଁକି ବୁଡାଇଦେଲି ସେମାନଙ୍କ ଆଶାର ବୋଇତ?

ଜୀବନର ପ୍ରତିଟି ପଦକ୍ଷେପରେ,

ମୁଁ ଯଦି ପ୍ରତିଦାନ ଆଶା କରେ,

ମୋର କଣ ଅବଦାନ ଏ ସମାଜ ପାଇଁ,

ତାର ସବୁ ଦାନ ବଦଳରେ???

*  *  *   *   

 ମିଳିପାରେ ମୁକ୍ତି ମୋତେ ବିଚାରାଳୟରୁ।

କିନ୍ତୁ? ମିଳିବକି ମୁକ୍ତି ମୋତେ ବିବେକର ଦଂଶନରୁ?

ତାର ସେ ଅହରହ ଚାବୁକ୍ ମାଡ଼ରୁ?


Rate this content
Log in