କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
ଗଙ୍ଗା ସମ ତୀର୍ଥ ନାହିଁ ଲୋ ମକର
ବେଦ ସମ ଶାସ୍ତ୍ର ନାହିଁ
ପରବ ଭିତରେ ମହାପର୍ବ ପରା
ଏହି କାର୍ତ୍ତିକ ପୂନେଇଁ ।
ଜୋଛନା କୋଳରେ ଜହ୍ନ ହସୁଛି ଲୋ
ଟିକିଟିକି ତାରାମେଳେ
ପହିଲି ଶୀତରେ ଶେଫାଳୀ ହସୁଛି
ପ୍ରକୃତିରାଣୀର କୋଳେ ।
ପାହାନ୍ତି ଗାଧୁଆ ସାରି ଲୋ ମକର
ଦିଅଁ ଦରଶନ ଲାଗି
ଦେବାଳୟେ ଜାଳେ ପୁଣ୍ୟ ପ୍ରଦୀପ ଲୋ
ସାଜି ଭକ୍ତ ଅନୁରାଗୀ ।
ରାଧାକୃଷ୍ଣଙ୍କର ମିଳନ ଦିନ ୟେ
କହୁଛି ପୁରାଣ ପୋଥି
ଉତ୍କଳ ଗୌରବ ନୌବାଣିଜ୍ୟ କଥା
ନିରବରେ ଯା କହୁଛି ।
କଦଳୀ ପଟୁଆ ଡଙ୍ଗା ଭସାଉଛି
କହି ଆ,କା,ମା,ବୈ
ପାନ ଗୁଆ ତୋର ଧରମଟା ମୋର
ଆଜି କାର୍ତ୍ତିକପୂନେଇଁ ।
ପୋଖରୀ କୂଳଟା କମ୍ପି ଉଠିଲାଣି
ଶୁଣ ହୁଳହୁଳି ତାନେ
ମନ୍ଦିର ବେଢାଟି ଦେଖ ମୁଖରିତ
ହରିନାମ ସଂକୀର୍ତ୍ତନେ ।
ପୁଣ୍ୟ କାର୍ତ୍ତିକରେ ଚଉଁରା ମୂଳରେ
ରାଧା ଦାମୋଦର ମୂର୍ତ୍ତି
ପାହାନ୍ତି ଶୀତରେ ସମର୍ପି ଦେଉଛି
ଶ୍ରଦ୍ଧାରେ ଧୂପ ଆଳତି ।
ପଞ୍ଚ ମୁରୂଜର ଝୋଟି ଆଙ୍କିଲାଣି
ଚଉଁରା ମୂଳକୁ ଯାଇ
ପଞ୍ଚୁକ ସ୍ନାହନ ସାରିଦେଇଛି ଲୋ
ପଞ୍ଚ “କ”କୁ ଧ୍ୟାନ ଦେଇ ।
କଥାରେ ସଞ୍ଜମ କର୍ମେ ତତ୍ପରତା
କପଟତା ନାହିଁ ମନେ
କାମନା ରହିତ ଏ ଜୀବନ ମୋର
କରୁଣା ମୋ ଦୁଃଖୀଜନେ ।
ମତ୍ସ୍ୟ ଅବତାରେ ଶଙ୍ଖାସୁର ମାରି
କଲେ ବେଦ ଉଚ୍ଚାରଣ
ପିତାମହ ଭୀଷ୍ମ ସ୍ମରି ବାସୁଦେବ
ଇଚ୍ଛା ମୃତ୍ୟୁ ଏହିଦିନ ।
ଧରମ ମାସ ଏ ଧାର୍ମିକ ବିଶ୍ଵାସ
ଅଛି ବୋଲି ସସ୍କୃତିରେ
ପାଳୁଛି ପାଳିବି କାର୍ତ୍ତିକ ପୂନେଇଁ
ଥିବା ଯାଏଁ ଏ କ୍ଷୀତିରେ
କାର୍ତ୍ତିକ ପୂନେଇଁ ରହିଛି ରହିବ
ଅପାଶୋରା ସ୍ମୃତି ହୋଇ ।
ବରଷକ ଥରେ ଏହି ପୁର୍ଣ୍ଣମିକୁ
ରହିଥାଏ ମୁଁ ଅନାଇଁ ।
