" କାର୍ତ୍ତିକ ପୁନେଇ "
" କାର୍ତ୍ତିକ ପୁନେଇ "
ସକାଳୁ ସକାଳୁ ମହାଭାରତର
ପଦ୍ମତୋଳା ଆବୁତ୍ତିରେ
ଧଡପଡ ହୋଇ ବିଛଣା ଛାଡ଼ିଲି
ନିଦ ଭାଙ୍ଗିଗଲା ଖରେ । ।।1।।
ଅର୍ଦ୍ଧାଙ୍ଗିନୀ ସ୍ୱର ପଞ୍ଚମ ରେ ରଖି
କହୁଥିଲେ ଶୋଇ ରୁହ,
କାର୍ତ୍ତିକ ପୁନେଇ ଡଙ୍ଗା ଭାଷା ମୋର
ବାଲି ଚରିଗଲେ ଦିଅଁ । ।। 2 ।।
ସବୁ ଅଳସୁଆ ମରିଥିଲା ବେଳେ
ଜନମି ଥିଲ ହେ ସାଇଁ,
ମୋହରି ଭାଗ୍ୟରେ ଲେଖାଥିଲା ତୁମ
ହାତକୁ ଧରିବା ପାଇଁ ।। ।। 3 ।।
ପାଖ ପଡ଼ିଶାଙ୍କ ଘର ଚାରିଆଡେ
ଲିଚୁ ମାଳ ଘାଇଁ ଘାଇଁ
ଘର ଆଗ ଆମ ଶ୍ରୀ-ହୀନ ଲାଗୁଚି
ଦୀପାଳି ଆଲୁଅ ପାଇଁ ।। ।। 4 ।।
ରଙ୍ଗ ବିରଙ୍ଗ ର ଝୋଟି ଝଲକୁଛି
ସଭିଙ୍କ ଦାଣ୍ଡ-ଦୁଆର,
ମୁରୁଜ ପୁଳାଏ ଧରେଇ ଦେଇଛ
କେମିତି ହେବ ସୁନ୍ଦର? ।। 5 ।।
ବଜାର ରୁ କିଣି ଆଣିଛନ୍ତି ସର୍ବେ
ଭଳିକି ଭଳିକି ଡଙ୍ଗା,
କଦଳୀ ପଟ ଟେ ଆଣିଛ ମୋ ପାଇଁ
ସତେ ମୋ କରମ ଭଙ୍ଗା ।। ।। 6 ।।
ଶାଢ଼ୀ-ଗହଣା ରେ ଲଦି ହେଇ ସର୍ବେ
ଗଲେଣି ତ୍ୱରିତେ ଚଳି,
ଅଲାଜୁକ ତୁମେ ଶୋଇ ରହିଅଛ
କରମ ଯାଉଛି ଜଳି ।। ।। 7 ।।
ପ୍ରାଣ ପ୍ରିୟା ମନ୍ତ୍ର ନିହାତି ବାଧିଲା
ଖଟରୁ ଉଠିଲି ଧାଇଁ,
ଥଣ୍ଡା ପାଣି ଗୁଡା ଢାଳି ହେଇପଡି
ହେଇଗଲି ରେଡି ମୁହିଁ । ।। 8 ।।
ଉଠୁ ଉଠୁ ତୁମ ଦରଶନ ଆଗୋ
ସବୁ ହେବ ଆଜି ଫାଷ୍ଟ,
କାର୍ତ୍ତିକ ପୁନେଇଁ ଆ-କା-ମା-ବୈ
ହେବାନି କିଛିରେ ଲାଷ୍ଟ । ।। 9 ।।
ସ୍କୁଟିଟାକୁ ବେଗେ ଷ୍ଟାର୍ଟ କରିବାକୁ
ମାରିଦେଲି ଯେବେ କିକ,
ବଫାଦାର ମୋର ଓଲଡ଼ ମଡେଲ
ଶବ୍ଦ କଲା ଫିକ ଫିକ । ।। 10 ।।
ପ୍ରାଣପ୍ରିୟେ ମୋର ମନ ଆନନ୍ଦରେ
ପାଳିଲେ କାର୍ତ୍ତିକ ପୁନେଇ,
ଦୀପ-ଫଳ-ଫୁଲ ସଜ ପଟୁଆଟା
(ତାଙ୍କ) ସର୍ବ ମନ ନେଲା ମୋହି । ।। 11 ।।
ଟି.ଭି ଵାଲା ତାଙ୍କ କାମେରା ଫୋକସେ
ପଟ କୁ ୟାଙ୍କ ରଖିଲେ
ଆମ ପରମ୍ପରା-ଐତିହ୍ୟ ର ସ୍ମାରକୀ
ବୋଲି କେତେ ବଖାଣିଲେ । ।। 12 ।।
ନିରିମାଖୀ ମୋର କୁତୁକୁତୁ ହୋଇ
ଦେଲେ ପରଦାରେ କହି,
ମୋ ପ୍ରାଣ ଈଶ୍ୱର, ସ୍ୱାମୀ ପାରିବାର
ଏସବୁ ତାଙ୍କରି ପାଇଁ । ।। 13 ।।
ଛାତି କୁଣ୍ଢେ ମୋଟ, ହୃଦ ଗଦ ଗଦ
ସ୍ତ୍ରୀଙ୍କୁ କହିଲି ଚାହିଁ,
ଐତିହ୍ୟ ଆମ ଦୀପ- ପଟୁଆରେ
ଲିଚୁ ମାଳେ ତାହା ନାହିଁ । ।। 14 ।।