!! କାର୍ତ୍ତିକ ପଞ୍ଚକ. !!
!! କାର୍ତ୍ତିକ ପଞ୍ଚକ. !!
!! କାର୍ତ୍ତିକ ପଞ୍ଚକ. !!
କେତେ କାଳଖଣ୍ଡ ଗଲାଣି ଅଚିରେ
ସ୍ମୃତି ପାଦ ଚିହ୍ନ ଛାଡି
କେତେ ଧର୍ମ କର୍ମ ମାନବ ଜୀବନେ
ରହିଛନ୍ତେ ଭବେ ବେଢି ।
କାର୍ତ୍ତିକ ପଞ୍ଚକ ସରି....
ଧର୍ମ ମାସ ବୋଲି ଭୂବନେ ବିଦିତ
ଅମୀୟ ପଡେ କି ଝରି !
ପ୍ରକୃତିର ଚାରୁ ଋତୁ ଆବର୍ତ୍ତନେ
ଆସେ ଶୀତ ଧୀରେ ଧୀରେ
ଜଳଦ ପଟଳ ବିମୁକ୍ତ ଗଗନ
ସ୍ନିଗ୍ଧ ଶୀକରର ନୀରେ ।
ସୁମଞ୍ଜୁଳ ମଞ୍ଚ ପୁର ....
ପ୍ରକୃତିର ଶୋଭା ଅତି ମନ ଲୋଭା
ହସେ ସବୁଜ କେଦାର ।
ଭୀଷ୍ମ ପଞ୍ଚକଠୁ ପଞ୍ଚୁକ ଆରମ୍ଭ
କାର୍ତ୍ତିକ ପୂର୍ଣ୍ଣିମା ଯାଏ
ଚାତୁର୍ମାସ୍ୟା ବ୍ରତ ସମାପନ ହୁଏ
ଭକ୍ତିର ଭଜନ ଗାଏ ।
ପୁରେ ପୁରେ ସଂକୀର୍ତ୍ତନ ....
ବିଭୁ ନାମ ଧରି ସତ୍ୟ କୁ ଆଚରି
ପୂଣ୍ୟ ହୁଏ ପ୍ରାତଃ ସ୍ନାନ ।
ବୃନ୍ଦାବତୀ ମୂଳେ ମୂରୁଜ ର ଶୋଭା
ଗାଁ ଦାଣ୍ଡ ଓଳା ଯାଏ
ପୁର ନର ନାରୀ ଭକତି ଆଚରୀ
କାର୍ତ୍ତିକ ମାହାତ୍ମ୍ୟ ଗାଏ ।
ଆକାଶ ଦୀପ ଟି ଜଳେ.....
ହବିଷ୍ୟାଳିଙ୍କର କାୟ ମନ ବାକ୍ୟ
ପବିତ୍ର ବରଣେ ଝଳେ ।
ପାଞ୍ଚ ଦିନ ପାଇଁ ବକ ଯେ ଧାର୍ମିକ
ମୀନ ଖାଏ ନାହିଁ ବୋଲି
କେଉଁ କାଳୁ କଥା ଲଥା ରେ ରହିଚି
ମାନବ ଚିତ୍ତ କୁ ଛଳି ।
ଜୀବନରେ ଧର୍ମ ତରୀ ....
ଭବ ସାଗରରୁ ତରିଯିବ ହେଳେ
ବିଭୁପଦ ଆଶ୍ରା କରି ।।