କାର୍ତ୍ତିକ ମାସ
କାର୍ତ୍ତିକ ମାସ
ଆହା କି ସୁନ୍ଦର କାର୍ତ୍ତିକ ମାସଟି
ପବିତ୍ର ବାତାବରଣ ।
ଦାନ ପୂଣ୍ୟ ଅବା କାର୍ତ୍ତିକ ପୁରାଣେ
ମଜ୍ଜିଯାଏ ସବୁ ମନ ।
ଭାରି ଭଲ ଲାଗେ ସକାଳୁ ସକାଳୁ
ବୃନ୍ଦା ମୂଳେ ବସି ନୀତି ।
ହବିସିଆଳି ଯେ ପୁରାଣ ପଠନେ
ଶ୍ରବଣେ ନିମଗ୍ନ ଥାନ୍ତି ।
ଲକ୍ଷ୍ମୀ-ଅଲକ୍ଷ୍ମୀଙ୍କ ଭ୍ରାତ ଜଳନ୍ଧର
ଜନ୍ମ ଆଉ ବଦ୍ଧ କଥା ।
ସତୀବୃନ୍ଦାଙ୍କର ସତୀତ୍ୱ ହରଣେ
ହରିଙ୍କ ମାୟାର ଗାଥା ।
ଶ୍ରାହରି ଚରିତ ଯେତେ କଲେ ପାନ
ନ ମେଣ୍ଟଇ ମନୁ ଶୋଷ ।
ଅମୃତ ବି ତୁଚ୍ଛ ସେ ରସ ର ତୁଲେ
ଶୁଣି ତାଙ୍କ କୀର୍ତ୍ତି ଯଶ ।
ଚକୁଳିଆ ପଣ୍ଡା ସୁସ୍ୱରେ ଡାକନ୍ତି
ଥାଳ ଧରି ଗାଁଆ ଦାଣ୍ଡେ ।
ଚିତା ଚଇତନ ଲମ୍ବା ଉଦରକୁ
ତାଳପତ୍ର ଛତା ମୁଣ୍ଡେ ।
ପଞ୍ଚୁକେ ମୁରୁଜେ ଶୋଭଇ ଚଉରା
ସଞରେ ଆକାଶ ଦୀପ ।
ଦୀପାବଳୀ ରାତି ବାଣ ଫୁଟା ଭୀତି
ସୁନ୍ଦର ଘରର ରୂପ ।
ବଡବଡୁଆଙ୍କୁ ଡାକନ୍ତି ସୁସ୍ୱରେ
କାଉଁରିଆ ଜାଳି ପୁଣ ।
ଆ କା ମା ବଇ ଗୀତ ଗାଇଗାଇ
ଜଳେ ବୋଇତ ବନ୍ଦାଣ ।
ରାଇ-ଦାମୋଦର ରୂପମନୋହର
କଦମ୍ବ ମୂଳେ ରାଆସ ।
ଗଜାମୁଗ ଭୋଗ ହବିସ ଡାଲମା
ଖାଇବ ପାଖକୁ ଆସ ।
କାର୍ତ୍ତିକ ମାସର ମାହାତ୍ମ୍ୟ ଜାଣିଲେ
ମିଳେ ଭକ୍ତି ମୁକ୍ତି ପଥ ।
କଳିକାଳେ ଏଇ କାର୍ତ୍ତିକର ବ୍ରତ
ଅଟେ ପବିତ୍ର ମହତ ।
