STORYMIRROR

Biswanath Nayak

Others

4  

Biswanath Nayak

Others

କାରଣ ସେ ପରା ମାଆଟିଏ

କାରଣ ସେ ପରା ମାଆଟିଏ

1 min
352


ସାରା ଜଗତର

ଐଶ୍ଵର୍ଯ୍ୟ ବିଭବ

ଦେଲେ ମାଆ ଯେତେ ଖୁସି ନୁହେଁ। 

ସବୁଠାରୁ ଖୁସି

ହୋଇଯାଏ ସିଏ

ପିଲା ଯେବେ 'ମାଆ' ଡାକିଦିଏ। 

କାରଣ ସେ ପରା ମାଆଟିଏ। 


ସଂସାରର ଭାର

ମୁଣ୍ଡରେ ମୁଣ୍ଡେଇ

ଜୀବନଟା ସାରା ଚାଲୁଥାଏ। 

କିନ୍ତୁ ତା'ର ମନ

ନିତ୍ୟ ନିରନ୍ତର

ସନ୍ତାନ ପାଖରେ ରହିଥାଏ। 

କାରଣ ସେ ପରା ମାଆଟିଏ। 


ପିଲା ହେଉ ଦୁଃଖୀ ,

ରଙ୍କି ଅବା ରାଜା

ଭେଦଭାବ ତା ମନେ ନଥାଏ। 

ଧରଣୀ ପରାୟେ

ସବୁ ସନ୍ତାନଙ୍କୁ

ସମାନ ଭାବରେ ଦେଖେ ସିଏ। 

କାରଣ ସେ ପରା ମାଆଟିଏ। 


ପିଲାମାନଙ୍କର

ଯେତେ ଦୁଃଖ କଷ୍ଟ

ନିଜ ନାଆଁରେ ସେ ଲେଖିଦିଏ। 

ଆସୁ ଯେତେ ଝଡ଼

ପିଲାମାନଙ୍କୁ ସେ

ପଣତେ ଘୋଡେ଼ଇ ରଖିଥାଏ। 

କାରଣ ସେ ପରା ମାଆଟିଏ। 


ପିଲା ହୋଇପାରେ

କୁସନ୍ତାନ ସିନା

ମାଆ କେବେ କୁମାତା ନହୁଏ। 

ପିଲାର ଦୁଃଖରେ

ଦୁଃଖୀ ସିଏ ସଦା

ପିଲାର ସୁଖରେ ସୁଖୀ ହୁଏ। 

କାରଣ ସେ ପରା ମାଆଟିଏ। 


ସନ୍ତାନର ପାଇଁ

ଏ ସାରା ସୃଷ୍ଟିରେ

ସବୁଠୁଁ ନିର୍ଭୟ ଆଶ୍ରା ସିଏ। 

ସେଥିପାଇଁ ସବୁ

ବିପଦ ଆପଦେ

'ମାଆ' ବୋଲି ପିଲା ଡାକିଦିଏ। 

କାରଣ ସେ ପରା ମାଆଟିଏ। 


ଯାହା ବାଣୀ ଗୀତା ,

ଭାଗବତ ତୁଲ୍ୟ

ଯା କୋଳେ ବୈକୁଣ୍ଠ ଶାନ୍ତି ଥାଏ। 

ଯା ଚରଣରଜ 

ତୀର୍ଥକ୍ଷେତ୍ର ଧୂଳି

ଜୀବନକୁ ଧନ୍ୟ କରିଦିଏ। 

କାରଣ ସେ ପରା ମାଆଟିଏ। 


କିନ୍ତୁ ହାୟ! ଯେବେ

ଏକଥା ନବୁଝି 

ସନ୍ତାନ ତା ମନେ କଷ୍ଟ ଦିଏ। 

ସର୍ବସହା ସିଏ

ହସି ସବୁ ସହେ

ପିଲାର ଶୁଭ ମନାସୁଥାଏ। 

କାରଣ ସେ ପରା ମାଆଟିଏ। 


ସବୁଠୁଁ ପବିତ୍ର

ସବୁଠୁଁ ମଧୁର

'ମାଆ' ନାମେ ଯେଉଁ ରସ ଥାଏ। 

ସେ ମଧୁର ରସ

ପାନ କରିବାକୁ

ପ୍ରଭୁ ବି ତା କୋଳେ ଜନ୍ମ ନିଏ। 

କାରଣ ସେ ପରା ମାଆଟିଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍