କାନ୍ଦୁଛି ପୁଲ୍ବାମା
କାନ୍ଦୁଛି ପୁଲ୍ବାମା
କାନ୍ଦୁଛି ପୁଲ୍ବାମା
ଶହିଦର ରକ୍ତରେ ଆଜି ରଙ୍ଗୀନ ପୁଲ୍ବାମାର ଦେହ,
ମାଂସ ଆଉ ହାଡର ପାହାଡ ତଳେ,
ଲୁଚିଛି ପୁଲ୍ବାମାର ନୀରିହ ମୁହଁ।
ଚାଳିଶଟି ପ୍ରାଣର ଆତୁର ଚିତ୍କାରରେ,
ବଧିର ପାଲଟିଛି ପୁଲ୍ବାମାର କାନ।
ବିଧବା ପତ୍ନୀର ଭଙ୍ଗା ଚୁଡି ଆଉ ସିନ୍ଥୀର ସିନ୍ଦୂର,
ଉପହାସ କରୁଛି ପୁଲ୍ବାମାକୁ,
ବାପା ମାଆଙ୍କ ଆଖିର ଲୁହରେ ,
ଭାସି ଯାଉଛି ପୁଲ୍ବାମା,
ସୁଅ ମୁହଁର ପତର ଟିଏ ଭଳି।
ନୀରିହ ଶିଶୁର ଅବୋଧ ଆଖିରେ,
ଦୋଷୀଟିଏ ଭଳି ମଥାନତ କରୁଛି ପୁଲ୍ବାମା।
ଶହ ଶହ ଆଖି ତାକୁ ପ୍ରଶ୍ନ କରୁଛି?
ଆମ ଅମାନତକୁ ତୋ କୋଳକୁ,
ଟେକି ଦେଇଥିଲୁ କ'ଣ ମରିବା ପାଇଁ?
କି ଉତ୍ତର ଦେବ ଏ ପ୍ରଶ୍ନର ପୁଲ୍ବାମା,
ସେ ତ ନିଜେ ଆଜି ମୁକ ପାଲଟିଛି,
ନିଜ ହାତରେ ସାଉଁଟୁଛି ,
ତା ସନ୍ତାନର ବିକ୍ଷିପ୍ତ ଶରୀର,
ଆଖି ଲୁହରେ ଧୋଇ ଦେଉଛି ,
ତା ସନ୍ତାନର ବିଭସ୍ଛ ମୁହଁ।
ଲୋଡାନାହିଁ ତାର ଏ ସୁରକ୍ଷା,
ନୀରିହ ଜନତାର ଅଭିଶାପର ନିଆଁରେ,
ଜଳି ଯାଉଛି ତା ଦେହର ,
ପ୍ରତିଟି ଶିରା ପ୍ରଶିରା।
ଦୁଃଖରେ ମନ୍ଥି ହେଇ ଯାଉଛି ତା ଛାତି,
ଗୁମୁରି ଗୁମୁରି କାନ୍ଦୁଛି ତା ମାତୃହୃଦୟ।
କିନ୍ତୁ କିଏ ଶୁଣିବ ତାର କଥା,
ସେ ତ ନିର୍ଜୀବ ମାଟି ମାଆ,
କେମିତି କହିବ ସେ ତାର ଅକୁହା ବେଦନା।
ସେ ଏମିତି ସବୁବେଳେ ଝୁରୁଥିବ,
ଗୋପନରେ ତାର ବୀର ସନ୍ତାନକୁ,
ତା ସହ ଜୋଡି ହେଇଥିବା ,
ଶହିଦର ପ୍ରତିଟି ସ୍ମୃତିକୁ,
ଆଉ ପୁତ୍ର ଶୋକରେ ପାଗଳୀ ମାଆ ଟିଏ ପରି,
ବାହୁନି ବାହୁନି କାନ୍ଦୁଥିବ ପୁଲ୍ବାମାର ଆତ୍ମା.....
