କାମ
କାମ
ମୁଁ ଗୋଟିଏ କୃଷକ ପିଲା କାମକୁ ନାହିଁ ଡର
ଦିବସ ରାତି କାମରେ ମାତି ନଥାଏ ମୋତେ ତର |
ବାଳ ତପନ ସୁନା କିରଣ ଛୁଇଁବା ଆଗୁ ଧରା
ନିଇତି ମୁହିଁ ଶେଯରୁ ଉଠେ ଅଳସ ନାହିଁ ପରା |
ନିତ୍ୟ କରମ ସାରି ଵହନ ଗୁହାଳ ସଫା କରେ
ବଳଦ ଗାଈ ଖାଇବା ଦେଇ ପଖାଳ କଂସା ଧରେ |
ବୁଲାଏ ହଳ ଧରେ ଲଙ୍ଗଳ ମଧ୍ୟାହ୍ନ ପରିଯନ୍ତ
କରଇ ଚାଷ ମାରଇ ଘାସ ବୁଣଇ ବିଲେ ଖତ |
ଗାଧୁଆ ପରେ ଭୋଜନ କରେ ଗୋରୁଙ୍କ ଯତ୍ନ ନିଏ
କୁଣ୍ଡା ତୋରାଣି ଘାସକୁ ଆଣି ତାହାଙ୍କ ମୁଖେ ଦିଏ |
ଅପରାହ୍ନରେ କେଦାରେ ଧାଏଁ ପୁଣି କରଇ କାମ
ମାଟି ମଣିଷ ମାଟି ସହିତ ଜଟିତ ମୋର ନାମ |
ପଶ୍ଚିମେ ରବି ଯାଆନ୍ତେ ଡୁବି ଅନ୍ଧାର ଆସେ ଘୋଟି
ଚନ୍ଦ୍ରମା ସହ ବିରାଜେ ନଭେ ତାରକା କୋଟି କୋଟି |
ସଂଜରେ ପଢ଼େ ଭାଗବତ ମୁଁ ଦେଉଳେ ପୂଜେ ଦିଅଁ
ନ୍ୟାୟ ଦେବାରେ ଗାଆଁ ସଭାରେ ସଭିଙ୍କର ମୁଁ ପ୍ରିୟ |
ଭାରି ସରଳ ନିରାଡ଼ମ୍ବର ଜୀବନ ନିଏ ବାହି
ପାଞ୍ଚ ପରାଣୀ କୁଟୁମ୍ବ ବୋଝ ବୋହି ମୋ ଦୁଃଖ ନାହିଁ |
ଧାନ ଗହମ ମାଣ୍ଡିଆ ଆଖୁ ରବି ଫସଲ କରେ
ପନିପରିବା ବରଷ ସାରା ଫଳାଏ କ୍ଷେତପରେ |
ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ନିତି ମୁଁ ଖଟୁଥାଏ
ଜୟ କିଷାନ ଶାସ୍ତ୍ରୀ ଆହ୍ୱାନ ଗାଇ ଆନନ୍ଦ ପାଏ |
ନିଜ ଅର୍ଜିତ ଫସଲ ବିତ୍ତ ନିଜେ ମୁଁ ଖାଇଥାଏ
ବଳକା ହେଲେ ହାଟରେ ବିକି ଦୁଇ ପଇସା ପାଏ |
ଅଭାବ ମୋର ସୁସହଚର ଦୁଃଖ ମୋହର ମିତ
ଦୀପ ପରିକା ନିଜେ ଜଳିକା ସାଧେ ଜଗତ ହିତ |
