କାମ
କାମ
ପୁରୁଷ-ପ୍ରକୃତି ଏ ଦୁଇ ଅଟନ୍ତି,
ବିଶ୍ବ ସୃଷ୍ଟିର କାରଣ ।
ପ୍ରକୃତି ସହିତ ପୁରୁଷ ମିଳନ,
ହୋଇଥାଏ ଅନୁକ୍ଷଣ ।
ପ୍ରକୃତିରୁ ସୃଷ୍ଟି ସତ୍ତ୍ବ ରଜ-ତମୋ,
ଏ ତିନି ପ୍ରକାର ଗୁଣ ।
ଜୀବାତ୍ମା ଶରୀରେ ଅଧିଷ୍ଠିତ ହୋଇ,
ପ୍ରକାଶନ୍ତି ଆତ୍ମ ଗୁଣ ।
କାମନା ଆସକ୍ତି ରଜ ଗୁଣୁଜାତ,
ଦେହେ ଜୀବାତ୍ମା ବନ୍ଧନ ।
ଦୁଃଖ ଅଜ୍ଞାନରେ ହୁଏ ଦଗ୍ଧୀଭୂତ
ନାହିଁ ତା’ର ପରିତ୍ରାଣ ।
ସ୍ବାର୍ଥଭାବ ବୃଦ୍ଧି ଲୋଭ ଓ ପ୍ରବୃତି,
ଅଶାନ୍ତି-ଭୋଗ-ଲାଳସା ।
ଏସବୁ ଦୁର୍ଗୁଣେ ତଲ୍ଲୀନ ହୋଇଣ,
ଭୋଗେ ଅନେକ ଦୁର୍ଦ୍ଦଶା ।
ପ୍ରତି ଜୀବାତ୍ମାରେ ଷଡ଼ରିପୁ ସହ
ଥାଏ ପୁଣି ତିନିଗୁଣ ।
ଗୁଣ ଅନୁସାରେ ପ୍ରକୃତିମାନଙ୍କ,
ଆଧିକ୍ଯତା ଅବା ନ୍ଯୁନ ।
ରଜୋ ଗୁଣେ ଜୀବ ହୋଇଣ ଆବଦ୍ଧ,
ମଧ୍ୟରେ କରଇ ଭେଗ ।
ଊକାମନା ଜ୍ବାଳାରେ କ୍ଷଣିକ ସୁଖରେ,
କରଇ ସଦା ସମ୍ଭୋଗ ।
ରଜୋ ଗୁଣ ଅଟେ କର୍ମର ପ୍ରତୀକ,
ସେ କର୍ମେ ଜୀବ ନରତ ।
କାମିନୀ-କାଞ୍ଚନ ମୋହରେ ପଡ଼ିଶ,
ଜଞ୍ଜାଳେ ବୁଡ଼ଇ ସେ ତ ।।
ଷଡ଼ରିପୁ ମଧ୍ଯେ'କାମ’ ଶକ୍ତି ଅଟେ,
ପ୍ରଥମ ଶତ୍ରୁ ବ୍ଯକ୍ତିର।
ନର୍କର ତ୍ରିବିଧ ଦ୍ବାର ମଧ୍ଯେ କାମ,
ଅଟଇ ସର୍ବ ନରର ।
କାମୀର କାମରେ ବାଧା ଉପୁଜିଲେ,
ମହାକ୍ରୋଧ ହୁଏ ସୃଷ୍ଟି ।
କାମନା ବାଣରେ ହୋଇ ଜର୍ଜରିତ,
ଘଟାଏ ମହା ବିପତ୍ତି ।
କାମ ପ୍ରକୃତିରେ ହୋଇ ବଶବର୍ତ୍ତୀ
ଜୀବ ହୁଏ କାମାସାକ୍ତ ।
ପର ଆପଣାର ସ୍ବାର୍ଥପର ଜ୍ଞାନେ,
କରିଥାଏ ବୁଦ୍ଧି ଭ୍ରଷ୍ଟ ।
ସ୍ଥାନ କାଳ ପାତ୍ର ନ ମାନେ ମନୁଷ୍ୟ,
କରେ ରମଣୀ ସଙ୍ଗମ ।
କାମାନ୍ଧ ହୋଇ ସେ ଅଜ୍ଞାନ ତମସେ,
ପାଏ ଅନେକ ଦୁର୍ନାମ ।
ସକଳ ନାରୀଙ୍କୁ ସମ୍ଭୋଗ ସାମଗ୍ରୀ,
ଚିନ୍ତାକରେ କାମାତୁର ।
ଶୟନେ-ସପନେ ଅବା ଜାଗରଣେ,
କାମ ସର୍ବସ୍ବ ତାହାର ।
ଲଜ୍ଜା ଅପମାନ ଭୟ ଓ ଭ୍ରାନ୍ତିକୁ
ନ କରଇ ସେ ଖାତର ।
କାମରୁ ଆନନ୍ଦ ମିଳେ ମହାସୁଖ,
ଚିନ୍ତେ ସେ ମୂଢ଼ ପାମର ।
ରଜୋ ଗୁଣ ଦ୍ବାରା ହେଲେ ପ୍ରଭାବିତ,
ହୁଏ କାମଭାବ ସୃଷ୍ଟି ।
ମଣିଷ ପଣିଆ ହୁଏ ଭସ୍ମୀଭୂତ,
ଭୋଗେ ମହାନର୍କ ଗତି ।
କାମ ଯେ ସଂସାର ସୃଷ୍ଟିର କାରଣ
ବଂଶରକ୍ଷା ହୁଏ ପୁଣ ।
ଉତ୍ତରାଧିକାରୀ ସୂତ୍ରରେ ଉତ୍ପନ୍ନ
କରନ୍ତି ଧର୍ମ ରକ୍ଷଣ ।
କାମର ଦେବତା ଅଟନ୍ତି ଯେ 'ମାର’
ପଞ୍ଚବାଣ ତାଙ୍କ ଅସ୍ତ୍ର ।
ଦେବମହାଦେବ ତାଙ୍କର ସାୟକେ,
ହୋଇଥିଲେ ଦଗ୍ଧୀଭୂତ ।
କାମାସକ୍ତ ହୋଇ ଦେବରାଜ ଇନ୍ଦ୍ର
ହରିଲେ ଅହଲ୍ଯା ସତୀ ।
ଇନ୍ଦ୍ରଙ୍କର ବ୍ଯାଜ ଜାଣି ଋଷିଶ୍ରେଷ୍ଠ
ଦେଲେ ଯେ ଶାପ ଝଟତି ।
ବିଶ୍ବାମିତ୍ର-ପରାଶର ଋଷିକୁଳ ।
ଥିଲେ ଦୃଢ଼ ବ୍ରହ୍ମବ୍ରତୀ ।
ତଥାପି କାମିନୀ ରମ୍ଭାଙ୍କ ପ୍ରେମରେ
କରୁଥିଲେ କ୍ରୀଡା ରତି ।
କାମନାର ଜୟ ଅତୀବ ଦୁର୍ଜୟ
ଜଗତେ ନୁହେଁ ସମ୍ଭବ ।
ସତ୍ତ୍ବ-ରଜ-ତମ ଗୁଣରେ ପ୍ରକୃତି
ନିଶ୍ଚୟ ଜଡିତ ହେବ ।
କାମନା ବିନାଶେ ଦୁଃଖର ବିନାଶ,
ଏହା ଅଟେ ଶାସ୍ତ୍ରବାଣୀ ।
ଦୁଃଖର ବିନାଶେ ମନୁଷ୍ୟ ଲଭଇ,
ପାଏ ଅପବର୍ଗ ପୁଣି ।
କାମନା ପ୍ରକୃତି ଅତି ଭୟଙ୍କର,
ମହାଶତ୍ରୁ ମନୁଷ୍ୟର ।
ଏକାଗ୍ର ମନରେ ଇନ୍ଦ୍ରିୟ ନିଗ୍ରହେ
ହୋଇଥାଏ କାମ ଦୂର ।
ପାର୍ଥିବ ସୁଖଟି ଅଟେତ ଅଳୀକ,
ନ ଜାଣି ପାରେ ମନୁଷ୍ୟ ।
ଅନଳେ ପତଙ୍ଗ ଝାସ ଦେଲା ପରି,
ହୁଏ ବିନାଶ ଅବଶ୍ୟ ।
ଇନ୍ଦ୍ରିୟ ଲାଳସା ଅଟେ ମହାତୃଷା,
ନ ମେଣ୍ଟେ ବ୍ଯକ୍ତିର ଶୋଷ ।
ତୃଷ୍ଣାରେ କାତର ହୋଇଣ ଅଧୀର
ଶେଷରେ ହୁଏ ନିରାଶ ।
ଆତ୍ମଶକ୍ତି ବଳେ ଦୃଢ଼ ସଞ୍ଜମରେ,
କରିଲେ ଈଶ୍ବର ଧ୍ଯାନ ।
ଷଡ଼ରିପୁ ବ୍ୟାଧି ଦୂରୀଭୂତ ହେବ,
ମନ ହୋଇବ ପ୍ରସନ୍ନ ।
ହେ ! ଈଶ୍ବର ତୁମେ ମନୁଷ୍ୟ ଆତ୍ମାରୁ ,
କର ଷଡ଼ରିପୁ ଦୂର ।
ତୁମର ଆଶିଷୁ ବିଶ୍ବମଧୁମୟ
ହୋଇଯାଉ ନିରନ୍ତର ।