କାହିଁକି ମୁଁ ଜାଳିବି ଦୀପଟିଏ
କାହିଁକି ମୁଁ ଜାଳିବି ଦୀପଟିଏ
ଶଶାଙ୍କ ଶେଖର ରାୟ
କାହିଁକି ମୁଁ ଜାଳିବି ଦୀପଟିଏ
କୁହତ କେଉଁ ଖୁସିରେ
ରାବଣ ବଧ କରି ଫେରୁଛନ୍ତି କି
କେଉଁ ରାମଚନ୍ଦ୍ର ଅଯୋଧ୍ୟାକୁ
ନା ସବୁ ଅନ୍ଧକାର ଦୂରିଭୂତ
ଛୋଟ ଛୋଟ ଦୀପମାନଙ୍କର ଆଲୋକ ଶିଖାରେ
ଏଠି ସବୁଦିନ ତ ବହଳ ବହଳ ଅନ୍ଧାର
ନେସି ହୋଇଯାଏ ଦେହମନରେ ।
ବଡବଡୁଆଙ୍କୁ ଡାକିଲେ ଅନ୍ଧାରେ
ସେ ବି ଭିଷ୍ମଙ୍କ ପରି ନିରବଦ୍ରଷ୍ଟା
ପାପୀ କୁରୁ ରାଜସଭାତଳେ ।
ଶହଶହ ସୀତା ମାଆଙ୍କ ଲୁହରେ
ଦିଗହରା ବିଶ୍ଵାସର କାଗଜଡଙ୍ଗା
ଓଲଟି ଯାନ୍ତି ପବନ ମାଡରେ ।
ଦୀପଟିଏ ଜାଳିବାକୁ ମନସ୍ଥ କର ନାହିଁ
ଜଳିବାକୁ କନା ଆଉ ଘିଅର ଘୋର ଅଭାବ
ବରଂ ଅନ୍ଧାର ସେମିତି ଥାଉ
କଳା ଭଅଁରଟିଏ ହୋଇ
ସାତତଳ ପାଣିପଙ୍କେ ସୁନାଫରୁଆରେ ।
କାହିଁକି ମୁଁ ଜାଳିବି ଦୀପଟିଏ
କୁହତ କେଉଁ ଖୁସିରେ
ଯେଉଁଠି ଲିଭାଇଦିଆଯାଏ ଜଳିବା ଆଗରୁ
ମାତୃଗର୍ଭେ ଜରାୟୁର ଅନ୍ଧାରୀକୋଠରୀରେ
ଫୁଲଟିଏ ଫୁଟିବା ଆଗରୁ
ଦଳିମକଚି ଦିଆଯାଏ ତାର କଢିକୁ
ସମ୍ଭାବନା ସବୁ ମରିଯାନ୍ତି
ଦୁବଘାସ ପରି କାହାର ପାଦ ଚକଟାରେ
ଆଲୋକ ଦେଖିବାକୁ ମନା ଏଠି
ଅନ୍ଧ ଧ୍ରୃତରାଷ୍ଟ୍ରର ଅଭିଶାପେ ।
ସେଠି ପୁଣି ତୁମେ କୁହ
ଜାଳିଦିଅ ଦୀପଟିଏ
ଦୂରେଇଯିବ କୁଆଡେ ସବୁ ଅନ୍ଧକାର
ଆଲୋକ ତ ଦୂରର କଥା
ଅନ୍ଧାର ଛାଡେନି ମୋର ପିଛା
ନିଜ ଛାଇ ଡରାଉଛି ସବୁଦିନ
ଦରଗଢା ଦାରୁବ୍ରହ୍ମ ସାଜି
ଚାହୁଁଛି ସମସ୍ତଙ୍କୁ ଅପଲକ ନୟନରେ ।
ଏବେ କୁହତ
କାହିଁକି ମୁଁ ଜାଳିବି ଦୀପଟିଏ
କେଉଁ ଖୁସିରେ ।
