କାଗଜର ସନେଟ
କାଗଜର ସନେଟ
ମୃତ୍ଯୁ ଘାଟରୁ ମୁକୁଳାଇ ଆଣ ମତେ
କରି ଦିଅ ତମ ପଥ ସହଚର ଟିଏ ,
ମହକି ଯିବି ମୁଁ ମଧୁର ପୁଲକ ସାଥେ
ଭାବନାରେ କେତେ ଟିକି ଆଶା ମୋର ଛୁଏଁ |
ବରଷା ବିନ୍ଦୁ କୁ ଜଣା ବି ନ ଥାଏ ଯେବେ
ଜଳି ପୋଡିବ କି ଧୂଳିରେ ସେ ଯିବ ମିଶି
ମାପି ନ ପାରେ ଏ ହୃଦୟ ଆବେଗ ଠାବେ
ଅଥବା ସେ ଯିବ ଶାମୁକା ଗରଭେ ପଶି |
ଆଶା ଆଶରାରେ ଆକୁଳେ ଡାକୁଛି ତେଣୁ
ହୃଦୟର ତମ ସୁଖ ଓ ଦୁଃଖ କୁ ପଦେ ,
ଲେଖିଦିଅ ସବୁ ମନ ଓ ଅନ୍ତର କୋଣୁ
ସାଇତି ରଖିବି ଏ ମୋର ବିରାଟ ହୃଦେ |
ଚାହେଁ ନା ମୁଁ କ୍ଷଣେ ଅପବାଦ ତଳ ଦୁଃଖେ ,
ହେବାକୁ ନ ଚାହେଁ ହିଂସାର ବାର୍ତାବହ ,
ଦିବା ସପନରେ ସୁଖର ରଂଗ ମାଖେଁ
ସେଥି ପାଇଁ ମୋର ମନେ କେତେ ଗହଗହ |
ମୋ ମନର ବୋଝ ବୁଝି ଆସ ପ୍ରିୟତମ
ମୋ ଛାତି ଉପରେ ସବୁ କଥା ଦିଅ ରଚି ,
କୁସୁମ ବିସ୍ତାରି ତମେ ପ୍ରଜାପତି ସମ
ମଣି ଓ ମୁକୁତା ହୃଦୟେ ମୋ ଦିଅ ଖଚି |
ତବ ଆଗମନେ ଗଭୀର ହେବ ମୋ ହୃଦ
ପଟ୍ଟ ସମ ସୁଖେ ନିସ୍ତରି ଯିବି କ୍ଷଣେ ,
ଗଣିବି ନି ଆଉ ଅତୀତ ର ଭଲ ମନ୍ଦ
ଶୁଣି ସୁଖୀ ହେବି ଶବଦର କଣକଣେ |
