କାଗଜ
କାଗଜ
1 min
280
ସାଦା କାଗଜର ଗୋଟିଏ ପୃଷ୍ଠା
ହାତେ ଧରାଇଛି ଭାଗ୍ୟ ବିଧାତା
ସେ ସାଦା କାଗଜେ ଲେଖା ହୁଅଇ
କି କର୍ମେ ବିତିଛି ଜୀବନ ଏଇ ॥
ନିଜର କର୍ମ କୁ ଲେଖିବା ପାଇଁ
ଲେଖନୀ କି ସ୍ୟାହୀ ଲୋଡାତ ନାହିଁ
ବିବେକ ଲେଖନୀ ମନ ସ୍ୟାହିରେ
ଲେଖଇ ବିଧାତା ସେ କାଗଜରେ ॥
ଏପାଖେ ପୁଣ୍ୟକୁ ପାପ ସେପାଖେ
ଲେଖଇ ବିଧାତା ନଛାଡେ ଟିକେ
ଜନ୍ମରୁ ମରଣ କରେ ହିସାବ
କେତେ ପାପ କେତେ ପୁଣ୍ୟର ଭାବ ॥
କାଗଜରେ ଦୁଇ ପାଖର ଲେଖା
ପାପ ଅଧିକା ନା ପୁଣ୍ୟ ଅଧିକା
ଶେଷରେ ବିଧାତା ହିସାବ କରେ
କେତେ ପାପ କେତେ ପୁଣ୍ୟ ଭାଗରେ ॥
ନେଇ ଭାଗଶେଷ ଭାଜ୍ୟ ଜାଗାକୁ
ଶୂନ କରିଦିଏ ଭାଗଶେଷକୁ
ଆଉଥରେ ନୂଆ ହିସାବ ପାଇଁ
ସାଦା କାଗଜଟେ ଦିଏ ଧରାଇ ॥
