କାବ୍ୟ ଝର
କାବ୍ୟ ଝର
ହସି ହସୁଥାଏ ଦିନ ସରିଯାଏ
ସୁଖ ସବୁ ଅପାସୋରା,
ସୁଖ ଆଇନାରେ ତୁମ ପ୍ରତିଛବି
ଲାଗେ ମୋତେ ତୋରା ତୋରା ।
ପ୍ରତିଛବି ତୁମ ପ୍ରତିଛବି ନୁହେଁ
ଗଙ୍ଗୋତ୍ରିର ପ୍ରତିବିମ୍ବ,
ପ୍ରତିବିମ୍ବ ନୁହେଁ,ଆଶା ଇନ୍ଦ୍ରଧନୁ
ଅପରୂପ,ଅନୁଭବ ।
ଅନୁଭବ ମୋର ଚୁପିଚୁପି କୁହେ
ନୀରବର ନୟନରେ,
ତୁମ ନୟନର ନମ୍ର ନିବେଦନ
ଉଙ୍କିମାରେ ମୋ' ଓଠରେ ।
ଓଠ ମୋ' ନିର୍ଲିପ୍ତ ଭାବ ଅଭିଷିକ୍ତ
ବକ୍ତବ୍ୟର ବେଳାଭୂମି,
ତଥାପି ଅକାଟ୍ୟେ ନିର୍ବାକ୍ ପାଲଟେ
ନୟନ ଭାଷାକୁ ଚୁମି ।
ଲାଳିତ୍ୟରେ ଭରା ଲାବଣ୍ୟବତୀ ଗୋ
କସ୍ତୁରୀ କସ୍ତୁରୀ ବାସ,
ରଜନୀଗନ୍ଧାକୁ ତୁମରି ଚହଟ
କରେ କେତେ ଉପହାସ ।
ତୁଳନାରେ କେହି ନୁହେଁ ତୁଳନୀୟ
ତୁମରି ବ୍ୟକ୍ତିତ୍ୱ ଆଗେ,
ସ୍ନିଗ୍ଧତା, ସସ୍ମିତା, ନମ୍ରତା ପଣକୁ
ଅପ୍ସରୀ ଉଧାର ମାଗେ ।
ସଭିଏଁ ତୁମକୁ ତୁଳନା କରନ୍ତି
ଅନ୍ୟର ରୂପକୁ ନେଇ,
କାହିଁ ସେ ସଂଳାପ କାହିଁ ସେ ବିକଳ୍ପ
ତୁମ ଚିତ୍ରକଳ୍ପ ପାଇଁ ।
ଚିତ୍ରରେ ଚିତ୍ରରେ ଚିତ୍ରି ଦେଇଯାଅ
ଗୀତର ଗାୟତ୍ରୀ ଗୀତା,
ଗୀତି ଝର ପରି ଝରି ଝରି ଯାଏ
କାବ୍ୟଝର,ମୋ' କବିତା ।
ମୋ' କବିତାକୋଳ କାହାଣୀ ତୁମେ ଗୋ
କଳ୍ପନାର କଳ୍ପଲତା,
ତୁମରି ସଙ୍ଗତେ,ସଙ୍ଗୀତ ସଙ୍କେତେ
ହେବ ସେ ଜଗତଜିତା !
ଜଗତଜିତା ଗୋ ଅପରାଜିତା ମୋ'
ତୁମରି ଲାବଣ୍ୟ ପ୍ରୀତି,
ସେ ପ୍ରୀତିରେ ଅଛି ମୋହନ ମୂରତି
ମୋ' ମନ ଅମରାବତୀ !!!