କାବ୍ଯ ନାୟିକା
କାବ୍ଯ ନାୟିକା
ଶବ୍ଦ ସହ ଅର୍ଥାଳଙ୍କାରରେ ଯୁକ୍ତ
ବାକ୍ଯ ହେଲେ ରସାତ୍ମକ ।
ତାହା ହୋଇଥାଏ ଉତ୍ତମ କାବ୍ୟ ଯେ
ପଠନେ ଥାଏ ମାଦକ ।।
ଛନ୍ଦେ ହୋଇ ଛନ୍ଦି ଭାବ ରସେ ବନ୍ଦୀ
କବିତା ହୁଏ ପରିପୁଷ୍ଟ ।
କବିତା ସମ୍ଭାରେ କାବ୍ୟ ରୁଦ୍ଧିମନ୍ତ
କରେ ଜ୍ଞାନୀକୁ ଆକୃଷ୍ଟ ।।
ବିନା ଆଶ୍ରୟରେ ତିଷ୍ଠି ନ ପାରନ୍ତି
କବିତା-ବନିତା-ଲତା ।
ଶବ୍ଦେ ସରସତା ଅର୍ଥରେ ଗାମ୍ଭୀରତା
କାବ୍ଯେ ଭରେ ମଧୁରତା ।।
ନାୟକ ବିନା ନାୟିକାର ସ୍ଥିତି
ଜୀବନେ ନାହିଁ ପୂର୍ଣ୍ଣତା ।
କବିର ନାୟିକା ସ୍ବୟଂ ହି କବିତା
ସିଏ କଳ୍ପନା ପ୍ରସୂତା ।।
ମନର ମାନସୀ ଅଦୃଶ୍ୟ ନାୟିକା
ମୂଳ ଉତ୍ସ ପ୍ରେରଣାର ।
କବି ଲେଖନୀକୁ କରେ ତ୍ବରାନ୍ବିତ
ନିର୍ଗତ ଯେ ଅନ୍ତଃସ୍ବର ।
ଜୟଦେବଙ୍କର କାବ୍ଯର ନାୟିକା
ଥିଲେ ସ୍ବୟଂ ପଦ୍ମାବତୀ ।
ତାଙ୍କ ପ୍ରେରଣାରୁ ଗୀତଗୋବିନ୍ଦର
ହୋଇଲା ସଫଳ ସୃଷ୍ଟି ।।
କଳ୍ପନା ବିଳାସୀ ମାନସୀ ନାୟିକା
କାବ୍ଯର ଅୟମାରମ୍ଭ ।
ନାୟିକା କାବ୍ଯର ଅଟେ କେନ୍ଦ୍ରବିନ୍ଦୁ
ତା'ବିନୁ ଯେ ଅସମ୍ଭବ ।।
କବି ହୃଦୟର ମାନସୀ ନାୟିକା
ରୂପସୀ ଅଭିସାରିକା ।
କବି ମାନସର ଆବେଗ ସ୍ପନ୍ଦନ
ତା'ବିଚ୍ଛେଦ ଲାଗେ ଏକା ।।
ଉପେନ୍ଦ୍ର ଭଞ୍ଜ ଓ କବି କାଳିଦାସ
ଲେଖିଲେ କାବ୍ଯ ବିବିଧ ।
ନାୟକଙ୍କୁ କରି ଉପମା ମଣ୍ଡିତ
ହୋଇଲେ ବିଶ୍ବ ପ୍ରସିଦ୍ଧ ।।
