ଜରି ଗୋଟାଳି
ଜରି ଗୋଟାଳି
1 min
469
ଦିନ ଦ୍ଵିପ୍ରହରେ ଖରା ବରଷାକୁ
ଖାତିରି ନକରି ତିଳେ
ଖୋଜି ଖୋଜି ଯାଏ ଅଳିଆ ଗଦାକୁ
ହୀରା ନୀଳା ଖୋଜି ତାଳେ ।
ଆବର୍ଜନା ରୂପୀ ରତନ ଖଣିରୁ
ଜରି ରୂପୀ ମୁକୁତାକୁ
ପାଇବା ଆଶାରେ ଦିନ ତମାମ ସେ
ଅଣ୍ଡାଳେ ଆବର୍ଜନାକୁ ।
ଭୋକ ଶୋଷ ତାକୁ ଜଣା ପଡ଼େ ନାହିଁଁ
ଦିଶୁଥିବା ଯାଏ ଜରି
ସଞ୍ଜ ଗଲେ ନଇଁ ସାଉଁଟା ଜରିକୁ
କାରଖାନା ନିଏ ଧରି ।
ତା'ର କଳା କର୍ମ ନୁହଇ ତ ନୀଚ
ସଂସାର ମଙ୍ଗଳକାରୀ
ଶୁଦ୍ଧ ପରିବେଶ ସୃଷ୍ଟି କରେ ସେ
ଆବର୍ଜନା ସଫାକରି ।
ଜାଣି ଶୁଣି ବୁଝି ବଡ଼ପଣି କରି
ବ୍ୟବହାର କରୁ ଜରି
କାମ ସରି ଗଲେ ଫିଙ୍ଗି ଦେଉ ତାକୁ
ମାଟିକୁ ଅସନା କରି
ପେଟ ପୂରା ଖାଦ୍ୟ ପାଉ ନାହିଁ ଗଣ୍ଡେ
ଦିନରାତି ଶ୍ରମକରି
ନିଃସ୍ଵାର୍ଥପରତା ଅଟଇ ତା ବ୍ରତ
ନାମ ତା ଜରିଗୋଟାଳି
