ଜନ୍ମ ଅଛି,ମୃତ୍ୟୁ ନାହିଁ
ଜନ୍ମ ଅଛି,ମୃତ୍ୟୁ ନାହିଁ
ବନ୍ଧୁ ପାଇଁ ପଦେ କହିବି କହିବି
ଭାବି ଭାବି ରହିଗଲି ।
କହି ପାରିଲିନି ଲେଖୁଲେଖୁ ମୁଁ ତ
ଦୁଇ ଧାଡି ଲେଖିଦେଲି ।।
ସେ ଦୁଇ ଧାଡିରେ ଆକଣ୍ଠ ଅବ୍ୟକ୍ତ
ଅକୁହା କାହାଣୀ ଥିଲା ।
କାହାଣୀ ତ ନୁହେଁ ଭାବର ଜୁଆର
ଲେଖୁ,ଲେଖି ହୋଇଗଲା ।।
ହେ ବନ୍ଧୁ,ତୁମରି ଶବ୍ଦ ତରଙ୍ଗରେ
ମୋ'କବିତା ଉଙ୍କି ମାରେ ।
ସେଇ କବିତାର ପ୍ରୀତିର ପରାଗ
ହଜିଯାଏ ଦରିଆରେ ।।
ଲେଖିବି ଲେଖିବି ଲେଖି ଚାଲିଥିବି
ଥକି ନ ପଡିବା ଯାଏ ।
ତୁମରି ପ୍ରେରଣା ଅନୁସରୁଥିବି
କଲମ ଚାଲିବା ଯାଏ ।।
ଜୀବନେ ଜୀବନ ଥିବାଯାଏ ମୋର
କଲମ ମୋ'ଚାଲିଥିବ ।
ମଶାଣିକୁ ଯିବି କଲମକୁ ନେଇ
ସ୍ମୃତି ତାର ରହିଥିବ ।।
ସେ ସ୍ମୃତିରେ ତୁମ ଚିତ୍ରପଟ ରଖି
ଆରପୁରେ ସ୍ମରୁଥିବି ।
ହେ ବନ୍ଧୁ ମୋହର ହେ ସଖା ମୋହର
ଆଉ କି ଦେଇ ପାରିବି !!
ବନ୍ଧୁତା ଠୁ ବଳି ଅମୂଲ୍ୟ ଅଲିଭା
ସମ୍ପର୍କ କି ଆଉ ଅଛି ?
ସେ ସମ୍ପର୍କ ଏତେ ମଧୁର,ମାର୍ମିକ
ନାହିଁ ତା'ଉପମା କିଛି ।।
ଅଶକ୍ତିରେ ଶକ୍ତି ଅଭକ୍ତିରେ ଭକ୍ତି
ଅପ୍ରୀତିରେ ପ୍ରୀତି ଥାଏ ।
ତାହାହିଁ ବନ୍ଧୁତ୍ୱ ଅନିତ୍ୟରେ ନିତ୍ୟ
ଅନ୍ଧାରେ ଆଲୋକିଥାଏ।।
ଯୁଗ ହଜୁଥିବ ସମୟ ଲିଭିବ
ବନ୍ଧୁତା ଚିର ଭାସ୍ୱର ।
ନଶ୍ୱର ସଂସାରେ ଶାଶ୍ୱତ ବନ୍ଧୁତ୍ୱ
ମୁକ୍ତ ବିହଙ୍ଗର ସ୍ୱର ।।
ମଶାଣି ମଣିଷ ସମାପ୍ତି ଆୟୁଷ
ବନ୍ଧୁଙ୍କ ସମାପ୍ତି କାହିଁ !
ବନ୍ଧୁ ତ ଅମର ବନ୍ଧୁତା ଅକ୍ଷର,
ଜନ୍ମ ଅଛି, ମୃତ୍ୟୁ ନାହିଁ ।।