STORYMIRROR

padmaja pati

Others

3  

padmaja pati

Others

ଜଳାବର୍ତ୍ତେ ଯୋଗୀ

ଜଳାବର୍ତ୍ତେ ଯୋଗୀ

1 min
130


ଖରସ୍ରୋତା ନଦୀ ମଧ୍ୟେ ଜଳାବର୍ତ୍ତ

ଏକ ଦିଶୁଅଛି ପରା

କଠୋର ଚିତ୍ତରେ ହଠଯୋଗୀ ଜଣେ

ତା' ମଧ୍ୟେ ଦିଶନ୍ତି ତୋରା।


ତାମ୍ରପ୍ରାୟ ରଙ୍ଗ ଅନାବୃତ ଦେହ

ସ୍ତବ୍ଧ ପ୍ରାଣ ଧ୍ୟାନରତ

ମତ୍ତ ଜଳ ଲମ୍ଫ ଦେଇ ଆଣେ ଭୀତି

କିନ୍ତୁ ସେ ଅଚଳ ଚିତ୍ତ।


ନଦୀଜଳ ସିନା ଦିଶଇ ଅସ୍ଥିର

ସୈକତ ସମାନ ସେହି

ନାହିଁ ଭାବନା କି ନାହିଁ ଶିହରଣ

ଉଜ୍ଜ୍ୱଳ ପ୍ରଶାନ୍ତଦେହୀ।


କାଳର କରାଳ ଚକ୍ର ଘୂରୁଅଛି

ଦେଇ ନ ପାରେ ତାଡନା

ସଂସାର ସାଗରରୂପୀ ଜଳାବର୍ତ୍ତେ

ଅଦମ୍ୟ ତାଙ୍କ ସାଧନା।


ଅମାପ ଶକତି ହୋଇଅଛି ଠୁଳ

ଅବା ତାହାଙ୍କ ମଧ୍ୟରେ

ସ୍ତବ୍ଧତା କେବଳ ସମାହିତ ହୋଇ

ରହିଅଛି ଯେଉଁଠାରେ।


ଆତ୍ମାଟି ତାଙ୍କର ହେଲେ ବି ନିଃସଙ୍ଗ

ଘେରିଅଛି ବିଶ୍ଵ ସାରା

କି ଦିନ କି ରାତି ସବୁରି ଉର୍ଦ୍ଧ୍ୱରେ

ନ ଦିଅନ୍ତି କେବେ ଧରା।


ସତ୍ତାଜାତ ଯେତେ କାମନା ବାସନା

ହରାଇ ଷଡ ରିପୁକୁ

ମହାମୌନ ସେହି ଅବିଚଳ ରହି

ସମ୍ଭାଳିଛନ୍ତି ସୃଷ୍ଟିକୁ।


ସାଧନାରେ ତାଙ୍କ ସତ୍ୟ ଶତଦଳ

ଫୁଟି ଉଠି ସୁରଭିତ

ପ୍ରକୃତିର ଗତି ବୃତ୍ତିର ଆଧାର

ଆଶ୍ରୟ ସେ ଅବ୍ୟାକୃତ।


ସକଳ ପରାଣ ଝୁରଇ ତାହାଙ୍କୁ

ଅଗତି ଗତିର ନାହା

ଜଗତ ଜଞ୍ଜାଳ ବୋହିଛନ୍ତି ନିତି

ପୃଷ୍ଠଭୂମି ରୂପେ ସାହା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍