ଜୀବନସାଥୀ
ଜୀବନସାଥୀ
ନ ଥିଲା ତୁମ ସହ ଚିହ୍ନା କି ପରିଚୟ
ହଠାତ ଦେଖା ହୋଇଗଲା ତୁମ ସହ ମୋର
ଜହ୍ନିଫୁଲ ଫୁଟା ସଞ୍ଜବେଳେ
ସଂପର୍କର ନଈକୂଳେ ବାନ୍ଧିଦେଲା
କିଏ ଯେମିତି ସେତୁଟିଏ ।
ଏକା ଏକା ବଞ୍ଚିହୁଏନା
ସାଥିବିନା ଜୀବନଟା ଅଧୁରା
ବୟସର ଡେଣା ଲାଗିଗଲେ
ଉଡି ଶିଖିବାଟା ବେଶି କଷ୍ଟ ନୁହେଁ
ଖୋଜୁଥାଏ ସଦା ଜୀବନ ସାଥିଟିଏ ।
ଛୁଇଁଦେଲି ରାମଚନ୍ଦ୍ର ସାଜି ତୁମକୁ
ସକାଳର ସଦ୍ୟ କାକରଭିଜା ଗୋଲାପଟି ପରି
ହସିଉଠିଲ ତୁମେ ଖିଲି ଖିଲି ହୋଇ
ତରଳିଗଲା ତୁମ ମହମ ଦେହ
ମୋ ଘନ ଘନ ଖର ନିଶ୍ଵାସରେ ।
ହାତ ପରେ ହାତ ଥାପି
ପାଦରେ ପାଦ ମିଳାଇ
ଦୃଢ ପ୍ରତିଶ୍ରୁତି ଦେଲ ମୋତେ
ଅନେକ ଦୂର ଚାଲିବାକୁ
ଇସାରା କଲ କେତେ ଆଖିରେ ।
ଅଦିନିଆ କୁହୁଡିରେ ଜଳିଯାଉଛି ଆଜି କାହିଁ
ଫଗୁଣର ମୋ ପେନ୍ଥାପେନ୍ଥା ବଉଳ
ପଣ କରିଥିଲେ ହାତ ପରେ ହାତ ଛନ୍ଦି
ସବୁ ପାପ ଜାଳିଦେଇଥିଲେ ସେଦିନ ହୋମନିଆଁରେ
ମନ ପ୍ରାଣ ଆମେ ଏକାଠି କରି ।
କଥା ଥିଲା ଆମ ଭିତରେ ପରସ୍ପର
ଜୀବନର ଉଠାଣି ଗଡାଣି ରାସ୍ତାରେ
ଯେତେ ଦୁଃଖ କଷ୍ଟ ଆସୁ ପଛେ
ଚାଲିବା ଆମେ ହାତ ଧରାଧରି ହୋଇ
କେହି କାହାଠାରୁ କେବେ ଯିବାନି ବାହାରି ।
ଋତୁ ବଦଳିଲା ପରି ବଦଳିଗଲୁ ଆମେ
ତୁମେ ବାଛିନେଲ ତୁମ ବାଟ
ଆଉ ମୁଁ ମୋର ଅଲଗା ବାଟ
ଭଲ ଲାଗୁନି ଆଉ ପାଦ ମିଶାଇ
ତୁମ ସହ ଚାଲିବାକୁ ଅନେକ ଦୂର ।
ବାଟରେ ଆଜି ଅଚିହ୍ନା ବାଟୋଇଙ୍କ ଭିଡ
ଟାଣି ନିଅନ୍ତି ସମ୍ମୋହନ କରି ନିଜ ଆଡକୁ
ସେମାନେ ବି କିଛି କମ୍ ନୁହଁନ୍ତି
ସନ୍ଦେହ ଭୁଲ ବୁଝାମଣାର ଚେନେ ଦୁର୍ବଳ ମାଟିରୁ
ଉଦ୍ୟତ ସଦା ଉପାଡିବାକୁ ଦାମ୍ପତ୍ୟ ଚେର ।
ପ୍ରେମର ଗଭୀରତା ମାପିବା ସହଜ ନୁହେଁ
ଦେହ ସହ ଦେହର କ୍ଷଣିକ ଉତ୍ତେଜନା
ରକ୍ତ ମାଂସର ସ୍ନାୟୁବିକ ଉଷ୍ଣତା ପରେ
ଶୀତଳ ହୋଇଯାଉଥିବା ବରଫ ଦେହ
ଭୁଲିଯାଇଥାଏ ପ୍ରେମର ହିମାଳୟକୁ ।
ବିଶ୍ଵାସର ଇଟାରେ ଗଢି ଜାଣିଲେ ସଂସାର
ପ୍ରେମର ସବୁ ରଙ୍ଗ ମାଖି
ପରସ୍ପର ଉତ୍ତମ ବୁଝାମଣାର ଆଲୋକ ଜାଳି
ଗଢିବାକୁ ହେବ ସୁନ୍ଦର ଭବିଷ୍ୟତଟିଏ
ହାତ ଧରାଧରି ଦୁହେଁ ଚାହିଁଥିବା ସଦା ପରସ୍ପରକୁ ।
