STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଜୀବନ

ଜୀବନ

1 min
1.1K



ଶଶାଙ୍କ ଶେଖର ରାୟ

(୧)

ଜୀବନଟା ଏକ କାଗଜଡଙ୍ଗା

ସମୟ ନଈରେ ଭାସିଚାଲିଛି ସେ

ମିଳନ ବିଚ୍ଛେଦର ସୁଅରେ ,

କେବେ ଦୁଇ କୂଳକୁ ଆଉଜି ଯାଉଛି

ପବନ ମାଡେ ତ୍ ପୁଣି

ଗଣ୍ଡ ଭଉଁରୀରେ ପଡି

ଚଳଚଳ ପାଣି ପିଇଯାଉଥାଏ ଭୟରେ ।

(୨)

ଆରମ୍ଭରୁ ଶେଷ ଯାଏଁ

ବ୍ୟସ୍ତ ଆଉ ବିବ୍ରତ

ସୁନାର ହରିଣକୁ

ଧରିବାକୁ ପାଏନାହିଁ ହାତ

ଗାଇଲେ ବି ସରେନି

ସେ ଏମିତିକା ଗୀତ

ବାରି ହୁଏନା ତାର ସ୍ଵାଦ

ବିଷ କି ଅମୃତ ।

(୩)

କେତେବେଳେ ବିଛାଇଦିଏ

ଯନ୍ତ୍ରଣାର ଶରଶଯ୍ୟା

ତ୍ ପୁଣି

ଲିପିଦିଏ ଶୀତଳ ଚନ୍ଦନ

ହସ ଲୁହ ଭରା

ଗୋଟେ ସୁନ୍ଦର ଉପବନ ,

ଗଢିବା ଭାଙ୍ଗିବା କଳାରେ ସେ ତ୍ ନିପୂଣ

ଲମ୍ଵା ଦଉଡ ତାର ସରେନି କେବେ

ବସାଇଦିଏନି ନିରୋଳାରେ କିଛିକ୍ଷଣ

ଦେବା ନେବାରେ

ପୂର୍ଣ୍ଣତା ଲଭିଥାଏ ଜାଣ ।

(୪)

ଦେଖି ହୁଏନା କି ଧରିହୁଏନା

ଅନୁଭବର ଏକ ମୂର୍ତ୍ତୀବନ୍ତ ପ୍ରତୀକ

ପିନ୍ଧିଛି ମାଂସର ପୋଷାକ

ଘଣ୍ଟା ପରି ଟିକ୍ ଟିକ୍ ଶବ୍ଦ ତାର

ଶୁଭେନି କାନକୁ କାହାର

ଯା ଆସ କରୁଥାଏ ନିରବେ

ଦେଇ ଦୁଇଟି ଦ୍ଵାର

କବାଟ କିଳି ଅନ୍ତର୍ଧ୍ୟାନ ହୁଏ

କାହାକୁ ନ ଦେଇ ଖବର ।

ସେ ନୁହେଁ କାହାର

ନିଆଁ ମାଟି ପାଣି ପବନ ଆକାଶର

ଜଡ କି ଚେତନାର

କଳିହୁଏନା ରୂପଟି ତାର

କିମ୍ଵୁତ କିମ୍ଵୁତାକାର ।

(୫)

କେତେବେଳେ ଟାଣିନିଏ ଉପରକୁ

ପୁଣି ଛାଡିଦିଏ ରସାତଳକୁ

ତଳ ଉପର ଉପର ତଳ

ଭାରି ଭଲ ଲାଗେ ତାକୁ

ବାଉଁଶରାଣୀ ପରି ଝୁଲିବାକୁ ।

(୬)

ଷୋଳ ବୟସୀ କୁମାରୀ

ସପନ ତାର ଦରିଆ ପାରି

ଆଶା ଅସୁମାରୀ

ଖେଳୁଛି ଚକା ଚକା ଭଉଁରୀ

କଚାଡି ପଡୁଛି କେବେ ମାଟିକୁ ଧରି

ସମୟ ସାଥେ ପ୍ରେମ କରି କରି

ନିଇତି ମରୁଛି ସେ ଏଠି ଝୁରିଝୁରି ।

(୭)

ସାତ ତାଳ ପାଣି ଆଠ ତାଳ ପଙ୍କ

ପଙ୍କ ଭିତରେ ଫରୁଆ

ଫରୁଆ ଭିତରେ କଳା ଭଅଁର

ଆଈ ମାର କଥା ନୁହେଁ

ମନ ଗଢା କାହାଣୀ ,

ରଙ୍ଗ ମାଖି ବଦଳାଇ ପୋଷାକ

ଚମତ୍କାର ତାର ଅଭିନୟ ଠାଣି

ରଙ୍ଗମଞ୍ଚେ ଛାଇ ଆଲୁଅ ଖେଳେ

ଏଇ ଅଛି ଏଇ ନାହିଁ ପୁଣି ।

(୮)

ଏକ ସୀମାହୀନ ରାସ୍ତା

ଲମ୍ଵିଛି ଯେ ଲମ୍ଵିଛି

ଅନ୍ଧର ହାତୀ ଦେଖା ଭଳି

ଅଣ୍ଡାଳିବୁଲୁଛି ଚାରିପଟ

ଖୋଜିପାଉନି ତାର ଦିଗନ୍ତ

ଭୋକ ଆଉ ଶୋଷର ରାକ୍ଷାସ

ଅହରହ କରୁଥାଏ ଗ୍ରାସ

କୁମ୍ଭକର୍ଣ୍ଣ ନିଦ ହୁଏନି ତାର ଅନ୍ତ

ସବୁକିଛି ପାଇଗଲା ପରେ ବି

କାହିଁକି ଯୁଗେ ଯୁଗେ

ସମୁଦ୍ର ଭଳି ସେ ଅଶାନ୍ତ ।


ମୋ- ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍