ଜୀବନ ଯେମିତି
ଜୀବନ ଯେମିତି
"ଜୀବନ"-ମାତ୍ର ତିନୋଟି ଅକ୍ଷର
କିନ୍ତୁ ନିହାତି ଏକ ଅଛିଣ୍ଡା ଅବୁଝା ଗଣିତ
କାହାଲାଗି ଆଲୁଅ ର ଫୁଆରା ତ
କାହାପାଇଁ ଅନ୍ଧାର ର କାଲରାତି
ଇନ୍ଦ୍ରଧନୁର ସପ୍ତ ରଙ୍ଗ କିମ୍ବା ଲିଭି ଯାଇଥିବା ଦୀପର ସାଳିତା ।
ସେପାଖରେ କାହାପାଇଁ
ଉଦୟ ରାଗ ର ସୂର୍ଯ୍ୟ
ଉତ୍ସାବର ରଙ୍ଗଭରା ଝିଲିମିଲି ତାରା ପରି
ଏପଟରେ ସବୁ କିନ୍ତୁ
ନିସ୍ତବ୍ଧ- ନିଶୁନ ଲଗ୍ନ
ଫଟା-କପାଳର, ଭଗ୍ନ ଏକ କାଚଘର ପରି -1-
କାହା ପାଇଁ ଜୀବନଟା
ଉଡ଼ନ୍ତା ପକ୍ଷୀ ପ୍ରାୟେ
ଆଲ୍ହାଦିତ, ଅପହଞ୍ଚ ସୀମାହୀନ ନୀଳ ଆକାଶର
ଆଉ କିନ୍ତୁ କାହା ପାଇଁ
ପୋଡା କାଠ ଖଣ୍ଡ
ଯେତେ ରଙ୍ଗ ଭରିଲେବି ବର୍ଣ୍ଣ ହୀନ ବିରସ ନିଥର -2-
ଜୀବନଟା ନିଶ୍ଚେ ଏକ
ସୁମଧୁର ଶ୍ରୀ-ରୂପ ରାଗିଣୀ
ମିଠା ମିଠା ସଂଗୀତର ମୋହୁଥିବା ଅଭୁଲା ଉନ୍ମାଦ
ପୁଣି ତାହା ଫିକା ଫିକା
ହତାଶା ଓ ଶୁନ୍ୟତାର
ହୋମପରେ ବେଦୀ-ନିଆଁ ଲିଭିଜିବା ପ୍ରାୟ ନିରବ ନିସ୍ତବ୍ଧ -୩-
ଜୀବନଟା ଅଫୁରନ୍ତ
ଅସୁମାରୀ ଆଶାର ଲାଳିମା
ସ୍ୱପ୍ନ ହୋଇ ଆଣିଦିଏ ବଞ୍ଚିବାର ନିତ୍ୟ ନୁତନ ପ୍ରେରଣା
ପୁଣି ସ୍ୱପ୍ନ ହଜିଯାଏ
ଆଉ କାହା ଲାଗି
ଭଙ୍ଗା ଡାଳ ସମ, ଦିଏ ଖାଲି ଶ୍ଲେଷଭରା ଅଶେଷ ଯାତନା -4-
ଜୀବନଟା ତେବେ କଣ
ଦ୍ରୁତଗାମୀ ଅମାନିଆ ଅଶ୍ୱ?
ଲଗାମକୁ କସି ଦେଲେ ଅଜ୍ଞାକରି ନିହାତି ମନୁଆଁ
ଧରି ନଜାଣିଲେ ରଜ୍ଜୁ
ଏକ ଝଟକାରେ ଫିଙ୍ଗି
ସାରିଦେଵ ଆତ୍ମ ପରିଚୟ, ସ୍ଥିତବସ୍ଥା ସର୍ବସ୍ୱ ଠିକଣା -୫-
ଜୀବନଟା ତେବେ ନିଶ୍ଚେ
ଅନାହାତ ମୁକୁଳା ଆହ୍ୱାନ
ନେଇ ଆଣି ଥୋଇ ଯେ ପାରିଲା, ମଥାରେ ତା ବିଜୟ ମୁକୁଟ
ଦ୍ଵନ୍ଦ ଆଉ ଭୟ ମଧ୍ୟେ
ନପାରିଲେ ଧରି
ଲିଭିଜିବ କାଳର କପାଳେ, ଧୋଇଯିବ ସ୍ୱର୍ଣ୍ଣିମ ଅତୀତ -୬-
ଜୀବନଟା ବନ୍ଧୁ
ଏକ ଅଲେଖା କାଗଜ
ଯେଉଁ ରଙ୍ଗ ମାଖିଦେଲେ, ଝଲସିବ ସେଇ ରଙ୍ଗ ପରି
କେତେବେଳେ ସ୍ୱପ୍ନ ତ
କେତେବେଳେ ନିରାଶର ବାଲି
ଅବା ଇନ୍ଦ୍ରଧନୁ ଛିଟା, ତ୍ୱରିତ ବିଜୁଳୀ
ଜୀବନଟା ସେଥିପାଇଁ ଏକ "ପ୍ରହେଳିକା"
ବୁଝିନି କେ ବୁଝିବି ହୁଏନି, ଅଡୁଆ ସୁତାର ବୁଢିଆଣି ଜାଲପରି।
