ଜୀବନ....ଯେମିତି!
ଜୀବନ....ଯେମିତି!
"ଜୀବନ" ମାତ୍ର ତିନୋଟି ଅକ୍ଷର
କିନ୍ତୁ ନିହାତି ଏକ ଅଛିଣ୍ଡା-ଅବୁଝା ଗଣିତ
କାହା ପାଇଁ ଆଲୁଅ ଫୁଆରା ତ
କାହା ପାଇଁ ଅନ୍ଧାର ର କାଳ ରାତି
ଇନ୍ଦ୍ରଧନୁର ସାତ ରଙ୍ଗ କିମ୍ବା ଲିଭି ଯାଇଥିବା ଦୀପର ସାଳିତା।
ସେପାଖରେ କାହା ପାଇଁ
ଉଦିତ ସୂର୍ଯ୍ୟର ରାଗ
ଉତ୍ସବ ରଙ୍ଗ ଭିତରେ ଚିକମିକ ତାରା ପରି
ଏପାଖ ରେ ସବୁ କିନ୍ତୁ
ନିସ୍ତବ୍ଧ- ଶୁନ ସାନ
ଫଟା କପାଳ ର, ଭାଙ୍ଗି ଯାଇଥିବା କାଚ ଘର ପରି -1-
କାହା ପାଇଁ ଜୀବନଟା
ଉଡନ୍ତା ପକ୍ଷୀ ସମ
ଆଲ୍ହାଦିତ-ଅପହଞ୍ଚ ସୀମାହୀନ ନୀଳ ଆକାଶରେ
ଆଉ କାହା ପାଇଁ
ପୋଡି ଯାଇଥିବା ତୁଣ୍ଡ
ଯେତେ ସ୍ୱାଦ ଭରିଲେବି, ମୂଲ୍ୟହୀନ ବିରସ-ନିଥର-୨-
ଜୀବନଟା ନିଶ୍ଚେ ଏକ
ସୁମଧୁର ଶ୍ରୀ-ରୂପ ରାଗିଣୀ
ମିଠା ମିଠା ସଙ୍ଗୀତର ସ୍ମୃତି ଝରା ଅଭୁଲା ଉନ୍ମମାଦ,
ପୁଣି ତାହା ଫିକା ଫିକା
କାହାପାଇଁ ହତାଶା ଓ ଶୁନ୍ୟତାର
ବେଦୀ ନିଆଁ ଲିଭିଗଲାପରେ ସବୁଏକା ନିରବ-ନିସ୍ତବ୍ଧ-୩-
ଜୀବନଟା ସଟେକିବା
ଅଫୁରନ୍ତ ଆଶା ର ଲଳିମା
ସ୍ୱପ୍ନ ହୋଇ ବଞ୍ଚିବାକୁ ଦିଏ ନିତ୍ୟ-ନୂତନ ପ୍ରେରଣା
ସ୍ୱପ୍ନ କିନ୍ତୁ ହଜି ଯାଏ
ଆଉ କାହା ପାଇଁ
ଭାଙ୍ଗି ଗଲା ଡାଲପରି, ଦିଏ ଖାଲି ଅଶେଷ ଯାତନା-4-
ଜୀବନଟା ତେବେ କଣ
ଅମାନିଆ ଦ୍ରୁତଗାମୀ ଅଶ୍ୱ?
ଲଗାମ କୁ କଷି ଦେଲେ ବୋଲକରା ନିହାତି ମନୁଆଁ
ଧରି ନଜାଣିଲେ ରଜ୍ଜୁ
ଟାଣି ନେଉ ଫିଙ୍ଗିଦେଵ
କାଳ ଗହ୍ୱରରେ,ହଜିଯିବ ପରିଚୟ ସର୍ବସ୍ୱ ଠିକଣା-5-
ଜୀବନ ଟା ବୋଧ ହୁଏ
ଏକ ଖୋଲା ଆହ୍ୱାନ
ନେଇ-ଆଣି ଥୋଇ ଯେ ପାରିଲା, ବିଜୟ ମୁକୁଟ
ଭୟ ଆଉ ଦ୍ଵନ୍ଦ ଭିତରେ
ଅଟକିଲେ ଥରେ
ଲିଭିଯିବ ଚିତ୍ରପଟ, ଭୁଲିଯିବେ ଶୁନ୍ୟ ଅତୀତ-6-
ଜୀବନଟା ତେଣୁ ବନ୍ଧୁ
ଏକ ଆଲେଖା କାଗଜ
ଯେଉଁ ରଙ୍ଗ ମାଖିଦେଲେ ଝଲସିବା ସେଇ ରଙ୍ଗ ହୋଇ
କାହାପାଇଁ ସ୍ୱପ୍ନ ତ
କାହାଲାଗି ନିରାଶର ବାଲି
ପାଖେ ଇନ୍ଦ୍ରଧନୁ
ପାଖେ ତ୍ୱରିତ ବିଜୁଳୀ
(ଏଣୁ)ଜୀବନଟା "ପ୍ରହେଳିକା"
ନା କିଏ ବୁଝିପାରେ ଅବା କେହିତାକୁ ପାରିବ ବୁଝାଇ।
