ଜୀବନ ଯାତ୍ରା
ଜୀବନ ଯାତ୍ରା
ଚାଲିବାର ନାମ ଜୀବନ ଏପୁଣି ଯାତ୍ରା ଅଢେଇ ଦିନର
କେବେ ସରିଯିବ ଝାମ୍ପି ନେବ କାଳ କର୍ତ୍ତବ୍ୟ ଆମର ସାର ।
କର୍ମେ ପରିଚୟ କର୍ମରେ ସୁଖ୍ୟାତି କର୍ମ ଦିଅଇ କୁଖ୍ୟାତି
ପର ଉପକାର ସମାଜ କଲ୍ୟାଣେ ସରଗକୁ ହୁଏ ଗତି ।
ଅଶ୍ରୁ ହାସ୍ୟ ସବୁ କ୍ଷଣିକ ସୁଖର ଦୁଃଖର ସାଥୀ ହୁଅନ୍ତି
ଅନ୍ଧାର ବେଳରେ ଆପଣାର ଛାଇ ପାଖ ଛାଡିଣ ପଳାନ୍ତି ।
ସୂର୍ଯ୍ୟ ଥିବା ଯାଏ ପଦ୍ମ ଢଳଢଳ ଅସ୍ତହେଲେ ମୁଦି ହୁଏ
କୁମୁଦିନୀ ଚନ୍ଦ୍ର ଦେଖି ଫୁଟିଥାଏ ଦିନରେ ମୁହଁ ଲୁଚାଏ ।
ସଂପଦରେ ସର୍ବେ ସଖା ବିପଦରେ କେହି ହୁଏନାହିଁ ଛିଡା
ବିପଦର ସାଥୀ ମିଳିଗଲେ ଥରେ ଦେବା ନାହିଁ କରଛଡା ।
ଜୀବନଟା ଏକ ଯୁଦ୍ଧ କ୍ଷେତ୍ର ଏଠି ଆଳସ୍ୟକୁ ପରିହର
କିଏ ଶତୃ ମିତ୍ର ଜାଣିବା କଠିନ ତଲବାର ଧାର କର ।
ଶରୀରଟା ମଶାଣିରେ ମିଶିଯାଏ ରହିଯାଏ ଖାଲି ନାମ
କର୍ତ୍ତବ୍ୟ ଏପରି କରିଯିବା ନାମ ନ ହୋଇବ ସର୍ବନାମ ।
ଜନମ ବେଳରେ ଶିଶୁ କାନ୍ଦେ ବନ୍ଧୁ ପରିଜନ ହସହସ
ମରଣ ବେଳକୁ ସଭିଏଁ କାନ୍ଦିବେ ଥିବ ନିଜ ମୁଖେ ହସ ।