ଜୀବନ ଓ ଲୁଡୁ
ଜୀବନ ଓ ଲୁଡୁ
ଜୀବନଟି ଆଉ କ'ଣ,
ଲୁଡୁଖେଳ ନୁହେଁ କି!
ସାର ବାହାରିବା ଠାରୁ ପାଚିବା ପର୍ଯ୍ୟନ୍ତ
କରିବାକୁ ପଡେ ସଂଘର୍ଷ,
ଠିକ୍ ଯେମିତି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ
ସମ୍ମୁଖୀନ ହେବାକୁ ପଡେ ସମସ୍ୟାର,
ଭାଗ୍ୟ ଉପରେ ନିର୍ଭର କରେ ଖେଳ,
ଭାଗ୍ୟବାନ ହିଁ ସମାପ୍ତ କରିପାରେ
ଖେଳକୁ ସୁରୁଖୁରୁରେ।
ନୀଳ, ନାଲି, ଶାଗୁଆ ମୁଖାଧାରୀ
ପ୍ରତିଦ୍ବନ୍ଦୀ ମାନେ ଅବିରତ ଚେଷ୍ଟିତ
କରିବାକୁ ପରାସ୍ତ,
ପରାସ୍ତ ହୋଇଗଲେ
ପୁଣି ଆରମ୍ଭ ହୁଏ ଖେଳ ଆରମ୍ଭରୁ,
ଠିକ୍ ଯେପରି ଏ ଜୀବନ।
ଅଜଣା ଥାଏ ଖେଳର ପରିଣାମ,
ଖେଳର ମଝିରୁ ଜଣା ପଡେନି ଫଳାଫଳ,
ନିଶ୍ଚିତ କରି କହି ହୁଏନି
କଣ ହେବ ଆଗକୁ,
ସେଥିପାଇଁ ତ ଖେଳରେ ଆସେ ରୋମାଞ୍ଚ,
ଉତ୍କଣ୍ଠାର ସହ ପାଲିରେ ଗୋଟି ଗଡାଯାଏ
ଆକାଂକ୍ଷିତ ରଙ୍ଗୀନ ସ୍ବପ୍ନର ଆଶା ନେଇ,
ଛ' ପଡିଲେ ହିଁ ଦାନା
ବାହାରିଥାଏ ମଇଦାନକୁ,
କେବଳ ଛ' ନୁହେଁ
ଜୀବନରେ କଟିର ମୂଲ୍ୟ ବି ଠେର୍ ଅଧିକ।
ଖେଳରେ ସାର ପାଚିଗଲେ ଆଗୁଆ
ସେ ହୋଇଯାଏ ରଜା....
ଠିକ୍ ଯେମିତି ଜଞ୍ଜାଳମୟ ଜୀବନଟା
ମୃତ୍ୟୁ ଲଭିଲେ ପାଇଯାଏ ମୁକ୍ତି,
ଶେଷରେ ପାଲିଥିବ, ଗୋଟିଥିବ
ନଥିବ ସାର,
ଦୁନିଆ ରୂପକ ପାଲିରେ
ଥିବ ଜୀବନର ସତ୍ତା
ହେଲେ ନ ଥିବ ଖେଳରେ ପ୍ରତିଯୋଗୀ ହେବାକୁ
ସାର ରୂପକ ଶରୀର।
