STORYMIRROR

Kishore Nayak

Others

3  

Kishore Nayak

Others

"ଜୀବନ ଓ ବନ୍ଧନ"

"ଜୀବନ ଓ ବନ୍ଧନ"

1 min
264


ଏ ଜୀବନ, 

ଏକ ବନ୍ଧନର ନିୟମନାରେ ଅନୁବନ୍ଧିତ 

କେତେବେଳେ ପୂତ ପ୍ରେମର ଆକର୍ଷଣରେ 

ତ ପୁଣି କେତେବେଳେ ସ୍ନେହ ଆଉ ମମତାର 

ଏକ ଆବେଗ ହୃଦୟର ଚପଳତାରେ 

ତ ପୁଣି କେତେବେଳେ 

ରକ୍ତର ଏକ ନିବିଡ ସମ୍ପର୍କର ଅଭିସନ୍ଧିରେ 

ସାମାଜିକ ଦାୟିତ୍ୱବୋଧର ଅଭିବ୍ୟକ୍ତିରେ 

କାମନାର ତୃଷ୍ନାରେ 

ଆସକ୍ତିର ବାସ୍ନାରେ 

ଏ ଜୀବନ

 ମୋହାବିଷ୍ଟ ହୋଇ 

ବନ୍ଧନର ଖୁଆଡ଼ରେ ଆପେ ଆପେ ବନ୍ଦୀ ହୋଇଯାଏ l

କାମ, କ୍ରୋଧ, ଲୋଭ, ମୋହ, ମଦ ଆଉ ମାତ୍ସର୍ଯ୍ୟର 

ଏକ ବାଧିତ ସଂସର୍ଗର କବଳରେ କବଳିତ ହୋଇ 

ରୋଗ, ଶୋକ, ଜରା, ବ୍ୟାଧିର ଦାବାନଳରେ 

ଏ ଜୀବନ ବେଳେବେଳେ ନିଃଶେଷ ହୋଇଯାଏ l

ବୈରାଗ୍ୟର ତ୍ୟାଗ ଆଉ ତିତିକ୍ଷାର ମାର୍ଗଦର୍ଶିକାରେ 

ନିଜକୁ ଅଭିମନ୍ତ୍ରିତ କରି

ଏ ଜୀବନ 

ମାୟା ଆଉ ମୋହର ଆସକ୍ତିର ରଜ୍ଜୁକୁ ଛିନ୍ନ କରି 

ଅନାସକ୍ତର ଦ୍ୱାରଦେଶରେ 

ବିଭୁ ପ୍ରେମର ଶାଶ୍ୱତ ବନ୍ଧନରେ ବାନ୍ଧିହୋଇଯାଏ ତ 

ପୁଣି କେତେବେଳେ 

ଆଶା ଆଉ ଅବଶୋଷର ଏକ ଅବାଂଛିତ ପ୍ରତୀକ୍ଷାରେ 

ନିଜକୁ ଅଭିପ୍ରେତ କରି ବ୍ୟସ୍ତ ବିବ୍ରତ ହୋଇଉଠେ 

ପୁଣି ସମୟର ଆନୁଗତ୍ୟ ହୋଇ 

ଜୀବନ ଜିଇଁବାର ଏକ ଧାର୍ଯ୍ୟ ସ୍ଥିରୀକୃତ ଶୃଙ୍ଖଳକୁ 

ମାନିନେବାକୁ ବାଧ୍ୟ ହୁଏ 

ତେଣୁ 

ଏଇ ଜୀବନର ଚଲାପଥରେ ସବୁଠିଁ ଖାଲି ବନ୍ଧନ ହିଁ ବନ୍ଧନ

ବନ୍ଧନ ବିନା ଏ ଜୀବନ ଦିଗହରା 

ଆଉ ଏଇ ବନ୍ଧନ ହିଁ ହେଉଛି ଏ ଜୀବନର ଭିତ୍ତିଭୂମି 

ବନ୍ଧନକୁ ବାଦ୍ ଦେଇ 

ଏ ଜୀବନ ଜିଇଁବାର ପରିକଳ୍ପନା 

ଏକ ଚାଳକ ବିହୀନ ଯାନ ପରି ମାତ୍ର, ଆଉ କିଛି ନୁହେଁ l

ତେଣୁ ଏ ବନ୍ଧନ 

କେତେବେଳେ ପ୍ରବୃତ୍ତିର ପ୍ରରୋଚନାରେ ମାୟାସକ୍ତ ହୋଇ ଉଠେ 

ତ ପୁଣି କେତେବେଳେ ଅନାସକ୍ତର ଅଭିସାରିକାରେ 

ମୁକ୍ତିର ମାର୍ଗକୁ ବାଛିନିଏ 

ଆସକ୍ତିର ଚକ୍ର ବ୍ୟୁହରେ ପଡି 

ଏ ଜୀବନ 

ଜନ୍ମ ମୃତ୍ୟୁ ପ୍ରକାରନ୍ତରେ 

ସୁଖ ଦୁଃଖ ଭୋଗ କରେ

ପାପ ପୁଣ୍ୟ କର୍ମ କାଣ୍ଡର ଅଦୃଶ୍ୟ ଗର୍ତ୍ତରେ ପତିତ ହୋଇ 

ବାରମ୍ବାର ଖଣ୍ଡିଆ ଖାବରା ହୁଏ 

ତ ପୁଣି କେତେବେଳେ 

ସମସ୍ତ ମୋହ ମାୟାର ଅଡୁଆ ସୂତାକୁ ଛିନ୍ନ କରି 

ନିଜକୁ ଈଶ୍ୱରଙ୍କଠାରେ ସମର୍ପି ଦିଏ 

ତେଣୁ କହିବାର ତାତ୍ପର୍ଯ୍ୟ 

ବନ୍ଧନ କେବେ ବେଦନାର ପୃଷ୍ଠପୋଷକ ନହେଉ 

ଦୁଃଖ ଆଉ ବିନାଶର କାରଣ ନହେଉ 

ପ୍ରବୃତ୍ତିର ଦଲାଲ୍ ନହେଉ 

ବର୍ବାଦିର ସଦର ଦୁଆରେ ଧ୍ବଂସର କାରଣ ନହେଉ 

ବରଂ ମୁକ୍ତିର ମାର୍ଗ ହୋଇଉଠୁ l


        


రచనకు రేటింగ్ ఇవ్వండి
లాగిన్