ଜୀବନ ନାଉରୀ
ଜୀବନ ନାଉରୀ
ଜନମ ମରଣ ଦୁଇଟି ଦିନର
ମଝିରେ ଯନ୍ତ୍ରଣା ଯୁଇ
ଏ ଭବ ସାଗରୁ ପାରିକର ପ୍ରଭୁ
ହାତକୁ ଦିଅ ବଢ଼ାଇ।
ମିଛର ସଂସାରେ ମାୟା ବନ୍ଧନରେ
ସତେକି ପଡ଼ିଛି ମୁହିଁ
କେମିତି ହେ ପ୍ରଭୁ ଉଦ୍ଧାର ହୋଇଵି
କୁହତ କଳା ଗୋସେଇଁ।
ମୋହ ଅହଂକାର ଭରା ଏ ସଂସାର
ମନକୁ କରିଛି ବିଷ
ମୋ ଜୀବନ ରଥ ହୁଏ ଛଟପଟ
ଅନ୍ତେ ଭରି ରାଗ ରୋଷ।
ତୁମର ସୃଷ୍ଟିରେ କାହିଁକି ହେ ପ୍ରଭୁ
ମୋହର ଏ ଅନ୍ଧକାର
ତୁମେ ସୃଷ୍ଟିକର୍ତ୍ତା ତୁମେ ରକ୍ଷାକର୍ତ୍ତା
ଛଳନା କାହିଁକି କର।
ଜୀଵନ ଯନ୍ତ୍ରଣା ହେଲାଣି ଅସହ୍ୟ
ଆଉ ତ ପାରୁନି ସହି
ଜୀବନ ନାଵର ତୁମେ ମୋ ନାଉରୀ
ପାରିକର ଭାବଗ୍ରାହୀ।
ମଝି ଦରିଆରେ ଗଭୀର ଗଣ୍ଡରେ
ନିଃଶ୍ୱାସ ଖୋଜୁଛି ମୁହିଁ
କୃପାର କାତକୁ ଦୟାକରି ପ୍ରଭୁ
ଉଦ୍ଧାର କର ସେ ସାଇଁ
ଏ ବିଶାଳ ସୃଷ୍ଟିରେ ମୁଁ କ୍ଷୁଦ୍ର ପ୍ରାଣୀ
ଦୃଷ୍ଟି ଜମା ପାଉନାହିଁ
ଟିକି ହାତ ମୋର କିପରି ପାଇବ
ସ୍ୱର୍ଗକୁ ରହିଛି ଚାହିଁ।
ଆହେ ଚକାଡୋଳା କରୁଅଛ ଲୀଳା
କୃପାକର କୃପାସିନ୍ଧୁ
ତୁମରି ଆଶିଷ ଢାଳିଦିଅ ପ୍ରଭୁ
ଦୟାକର ଦୀନବନ୍ଧୁ।
