STORYMIRROR

Kalandi Rout

Others

3  

Kalandi Rout

Others

ଜୀବନ ଝୁଲଣ

ଜୀବନ ଝୁଲଣ

1 min
373


ଜୀବନ ଝୁଲଣ କେବେ, କେବେ ପୁଣି ଅଟେ ନିଆଁ ଝୁଲ,

କେବେ ସପ୍ତଫେଣୀ କଣ୍ଟା ଆଉ କେବେ ଗୋଲାପର ଫୁଲ।

ମୋବାଇଲ୍ ଝୁଲେ ଏଠି, ଚାର୍ଜରର ନିଅଣ୍ଟ ତାରରେ,

ଆଭାସୀ ସପନ ସବୁ ଝୁଲୁଥାଏ, ରାତି ଅନ୍ଧାରରେ। 

କୁଞ୍ଜବନେ ଝୁଲୁଥାନ୍ତି କାହ୍ନା ସାଥେ ବସି ରାଧାରାଣୀ,

ଅଧା ରହି ଯାଏ ଏଠି କେତେ ନୂଆ ପ୍ରେମର କାହାଣୀ।

ପ୍ରେମ ପାଇ, ପ୍ରେମୀ ଝୁଲେ ପ୍ରେମିକା କୋଳରେ,

ପ୍ରେମ ପାଇଁ ଆଉ କିଏ ଝୁଲିଯାଏ ଗଛର ଡାଳରେ।

ଗାମୁଛାକୁ ଦୋଳିକରି ଝୁଲେ କିଏ ଜେନ୍ରାଲ ବଗିରେ,

ଘୁଙ୍ଗୁଡ଼ି କେ ମାରୁଥାଏ ପେଟ ଝୁଲେ ଏ.ସି.ର ଡବାରେ।

କାହା କାନ ଝୁମୁକାଟେ ଝୁଲୁଥାଏ ଝମଝମ କରି,

ନାକର ସିଂଙ୍ଘାଣି କା'ର ଝୁଲୁଥାଏ,ଲୁହ ଯାଏ ଝରି।

ଆମ୍ବର ଗଛରେ ଏଠି ଏ ମଣିଷ ଝୁଲାଏ ପଣସ,

ସକାଳରୁ ସଞ୍ଜ ହେଲେ ରଙ୍ଗ ବଦଳାଏ ସେ ମଣିଷ।

ପଞ୍ଜୁରୀ ଭିତରେ ଥାଇ ଝୁଲୁଥାଏ କଥା କୁହା ଶାରୀ,

ପଞ୍ଜୁରୀ ବାହାରେ ଥାଇ,ମୂକ ଆମେ କଥା ନ କହି ପାରି।

ଦୋଳନ ପେଣ୍ଡୁଟା ଏଠି ଝୁଲୁଥାଏ କାନ୍ଥର ଘଡିରେ,

ସମୟଠୁ ହାରି,ଜୀବନଟା ଝୁଲିଯାଏ ପଙ୍ଖାରୁ ଶାଢ଼ୀରେ।

ଦେଶ ପାଇଁ ଦେଶପ୍ରେମୀ, ଝୁଲୁଥିଲେ ଫାଶୀର ଖୁଣ୍ଟରେ,

ମଦ,ମଣିଷକୁ ପିଇ ଝୁଲେ ଆଜି ରାସ୍ତା ମଝିଟାରେ।

ନେତା ମନ୍ତ୍ରୀ ଝୁଲୁଥାନ୍ତି ଏ.ସି. ରୁମ୍ ଝୁଲା ଚଉକିରେ,

କୃଷକଟା ଝୁଲିଯାଏ ଋଣ ଆଉ ଦାରିଦ୍ର୍ୟ ଭାରରେ।

କାଳିଆ ବି ଝୁଲେ, ରଥକୁ ଆସିବ ବୋଲି ପହଣ୍ଡି ବେଳାରେ,

ନୋଳିଆ ବି ଝୁଲେ,ପେଟପାଇଁ ଲହରୀରେ ସମୁଦ୍ରବେଳାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍