ଜୀବନ ଏକ ସଙ୍କଳ୍ପ
ଜୀବନ ଏକ ସଙ୍କଳ୍ପ
କେତେ ପୂଣ୍ୟ ବଳେ ମିଳିଥାଏ ହେଳେ
ମାନବ ଶରୀର ଏ ଧରା ଧାମେ,
ଯେତେ ଦେହଧାରୀ ହୋଇ ଶୁଦ୍ଧାଚାରୀ
ନିୟୋଜିତ ହେବା ସଦା ସୁକର୍ମେ ।
ଖାଇବା ଶୋଇବା ବଂଶ ବଢାଇବା
ଜୀବନର ପରିଭାଷା ତ ନୁହେଁ,
ଜୀବନ କୁ ଏକ ସଂକଳ୍ପ ମଣିଲେ
କର୍ମନିଷ୍ଠ ହେବା ମରିବା ଯାଏଁ ।
ଯେଉଁ ଉଦ୍ଦେଶ୍ୟ ରେ ଜଗତ କରତା
ଜଗତ କୁ କରିଛନ୍ତି ପ୍ରେରଣ,
ଜୀବନ କୁ ଯଜ୍ଞ ବିଚାରି ବଞ୍ଚିଲେ
ଅଚିରେ ହୋଇବ ଲକ୍ଷ୍ୟ ସାଧନ ।
ଆହାରେ ବିହାରେ ନିଜ ବ୍ୟବହାରେ
ସଞ୍ଜମତା ରଖି କାଟିଲେ କାଳ,
ସ୍ଥିତପ୍ରଜ୍ଞ ହୋଇ ଏକ ନିଷ୍ଠ ହେବା
ସ୍ଥିର ହେବ ମନ ନୋହି ଚଞ୍ଚଳ ।
କର୍ମ କୁ ବିଚାରି ଜୀବନର ବ୍ରତ
ଜୀବନ ଯାତ୍ରାରେ କଲେ ପାଥେୟ,
ପଥ ଭ୍ରଷ୍ଟ କେବେ ହେବାକୁ ହେବନି
ଜୀବନ ଯୁଦ୍ଧରେ ଲଭିବା ଜୟ ।
ଲୋଭ ମୋହେ କେବେ ଆକର୍ଷିତ ନୋହି
ନିଜ ସଙ୍କଳ୍ପେ ରହିଲେ ଅଟଳ,
ବାଧା ବିଘ୍ନ ମୁଣ୍ଡ ଟେକି ପାରିବେନି
ମିଳିଯିବ ନିଶ୍ଚେ କର୍ମ ର ଫଳ ।
ଅତି ଦୁର୍ଲଭ ଏ ମାନବ ଜନମ
ହେବାକୁ ଦେବା ନି କେବେ ବିଫଳ,
ନିଜ ସାଧ୍ୟ ମତେ ରହି ଜନହିତେ
ଜୀବନ କୁ କରିଦେବା ସଫଳ ।।