STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ଜୀବନ : ଏକ ଭିନ୍ନ ଅନୁଚିନ୍ତା

ଜୀବନ : ଏକ ଭିନ୍ନ ଅନୁଚିନ୍ତା

1 min
468


ଉଦାସ ଉଦାସ ଲାଗୁଛି ଆକାଶ

ବଉଦ ଖେଳୁଛି ଦୋଳି

ଛାଇ ଆଲୁଅର ଲୁଚକାଳି ଖେଳ

ଜୀବନ ଯାଉଛି ଜଳି ।।


ବଇଶାଖୀ ମାଟି ତାପିତ ଏ ସୃଷ୍ଟି 

ଜୀବନ ଖେଳେ ଭଉଁରୀ

ଅଦିନିଆ ଝଡ ଦୂର ଚକ୍ରବାଳେ 

ଅନ୍ତ କରିଦେବ ଶିରୀ ।।


ମାଟିରୁ ଆକାଶ ସକାଳରୁ ସଂଜ

ବିଚାର ପାପ-ପୁଣ୍ୟର

ଅନ୍ଧାରୁ ଆଲୋକ ଗ୍ରୀଷ୍ମରୁ ବସନ୍ତ 

ଶୁଭେ ଯାତନାର ସ୍ବର  ।।


ସମୟର ସ୍ରୋତ ଉଜାଣି ବହୁଛି 

ବେଳାଭୂଇଁ ଢାଳେ ଲୁହ

ନୀଳ ଉର୍ମିମାଳା ଧୁଏ ପାଦଚିହ୍ନ

ଭାଙ୍ଗିଯାଏ ଯେତେ ମୋହ  ।।


ନୁହଁଇ ଜୀବନ ପ୍ରୀତି ମଧୁଶାଳା

ଗୋଲାପ ବଣର ଛାଇ 

ସ୍ବପ୍ନ ନଦୀ ତୀରେ ସ୍ବର୍ଣ୍ଣାଭ ମହଲ

ତୋଳା କେବେ ହୁଏ ନାହିଁ  ।।


ଜୀବନ ବୀଣାର ମଧୁର ଝଂକାର 

ଯେବେ ଛନ୍ଦ ହରା ହୁଏ

ବହଳ ଅନ୍ଧାର ମାଡି ଆସେ ଖରେ

ଠିକଣା ତ ହଜିଯାଏ   ।।


ବର୍ଷ-ମାସ-ଦିନ-ଦଣ୍ଡର ଜୀବନ 

ଲକ୍ଷ୍ୟହୀନ ପ୍ରାଣହୀନ

ସୃଜନର ପଥ ସୁରଭିତ ହେଲେ 

ଆୟୁ ହୁଏ ଜ୍ୟୋତିଷ୍ମାନ  ।।


ସବୁଜ ଶ୍ୟାମଳ ନବ ଦୁର୍ବାଦଳ

ସୂର୍ଯ୍ୟସ୍ନାତ ରୂପଶୋଭା

ଜୀବନ ଦର୍ଶନ ହୁଏ ବିକଶିତ

କି ସୁନ୍ଦର ମନଲୋଭା  ।।


କଳକଳ ବହେ ଜୀବନର ଫଲ୍ଗୁ

ଖାଲ ଢିପ ପଥ ଯେତେ

ଉନ୍ମୁକ୍ତ ସାଗରେ ମୁକ୍ତାର ଝଲକ

ଜୀଇଁବାର ମନ୍ତ୍ର ସତେ ।। 


ଜୀବନଟା ଯଦି ହୁଏ ପାନ୍ଥଶାଳା 

ଆତିଥି ଯେ ମୁହୂର୍ତ୍ତର

ସ୍ମୃତିପଥ ଧାରେ ସମ୍ପର୍କର ଚିହ୍ନ

ଝଲମଲ ନିରନ୍ତର  ।।


ମହାସଂଗ୍ରାମରେ ମହାନାୟକ ମୁଁ 

ଇଗଲ ମୁଁ ଝଡ ସାଥେ

ବହ୍ନିଶିଖା ମୁଁ ଯେ ଉର୍ଦ୍ଧ ଧାବମାନ

ଚାଲୁଥିବି କଣ୍ଟା ପଥେ  ।।


ମାୟାଜାଲେ ବନ୍ଧା ଯେତେ ଆକର୍ଷଣ 

ନହେଉ ଜୀବନ ପନ୍ଥା

ଅନ୍ଧାରୁ ଆଲୋକ ପ୍ରଳୟରୁ ସୃଷ୍ଟି 

ହେଉ ଭିନ୍ନ ଅନୁଚିନ୍ତା   !! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍