ଝୁଣ୍ଟି ପଡ଼ୁଥିବା ଜୀବନ
ଝୁଣ୍ଟି ପଡ଼ୁଥିବା ଜୀବନ
ଛାତିତଳେ ଶୂନ୍ୟତାର ଦୃପ୍ତ ହାହାକାର,
ପଂଜରା ଥରାଇ ଉଠୁଛି ପଡୁଛି କୋହ ।
ଏଇ ବର୍ଷିବ ବର୍ଷିବ ହେଉଥିବା,
ଥମ ଥମ ଟଳମଳ ଲୁହ ।
ରହି ରହି ପୁଣି ଭଙ୍ଗାରୁଜାର ଶବ୍ଦ !
କେଉଁଠୁ ଆସୁଛି ?
ଘଟୁଛିକି କେଉଁଠି କିଛି ?
ଖୁବ୍ ସନ୍ତର୍ପଣରେ ନିଜ ଭିତରକୁ ଚାହିଁ ଦେଖିଲି,
ଯନ୍ତ୍ରଣାର ଲିରିକ୍ ରେ ଭର୍ତ୍ତି ହୃଦୟ !
ବାକରୁଦ୍ଧ !
କଣ୍ଠଖୋଲି ଗାଇ ପାରୁନି ଦୁଃଖର ଗଜଲ !
ଆଳାପର ଆରମ୍ଭରୁହିଁ କେହି
ଚିପି ଧରୁଛି ଗଳା ଖୁବ୍ ଜୋର୍ ରେ !
ପ୍ରତୀକ୍ଷିତ ଆଲୋକକୁ ଭେଟିବା ପୂର୍ବରୁ
ଡୁବିଯାଉଛି ସୂର୍ଯ୍ୟ ,
ଚାନ୍ଦକୁ ହାତ ବଢ଼ଉ ବଢ଼ଉ,
ଘୋଟି ଆସୁଛି ଘନ ଅନ୍ଧାର ।
ଚିକମିକ ସ୍ୱପ୍ନିଳ ତାରାମାନେ ବି ଉଭାନ୍
କେଉଁ ଅପହଞ୍ଚ ଇଲାକାକୁ !
ପକ୍ଷୀରାଜ ଘୋଡ଼ାରେ ବସି
ବୟସ ଦୌଡୁଛି କ୍ଷିପ୍ର ଗତିରେ,
ରାତାରାତି ବୟସ୍କ ହେଉଛି ସମୟ,
ପାହୁଣ୍ଡ ଯେତିକି କ୍ଷତବି ସେତିକି,
ଜୀବନକୁ ବୁଝୁବୁଝୁ ପାହି ଯାଉଛି ରାତି ।
କାଣିଚାଏ ଆଶା ପାଇଁ ଅଜସ୍ର ବଳି,
ଟିକିଏ ପ୍ରାପ୍ତି ପାଇଁ ଅମାପ ହାର୍ !
ପରାଜୟର ଗ୍ଲାନିରେ ଅକାତ ପାଣିକୁ
ଡେଇଁ ପଡ଼ୁଛି ଅସ୍ତିତ୍ବ ବାର୍ ବାର୍ !
ନା ମରୁଛି ନା ତରୁଛି,
ନା ବୋହି ହେଉଛି, ଏ ଦହନର ଭାର,
ନା ଫିଙ୍ଗି ଦେଇ ହେଉଛି ଅକ୍ଳେଶରେ !
ହୁଲି ଡଙ୍ଗାପରି ଭାସି ଚାଲିଛି ଜୀବନ,
ଥଳକୂଳ ହୀନ,ଭରା ନଈର ପ୍ରଖର ସୁଅରେ !!
କିଏସେ ବାହୁଛି,କୋଉଠି ?
କେଜାଣି କାହା ଇଙ୍ଗିତରେ ??
* * *
ସୁନନ୍ଦା (ବି) ମହାପାତ୍ର
ବାଙ୍ଗାଲୋର୍ ।
