ଝରକା
ଝରକା
ମନର ଝରକା ଖୋଲିଦିଅ ତୁମ
ବହେ ସୁଲୁସୁଲୁ ବାଆ।
ସବୁଜ ବନାନୀ ପୁଲକିତ ହୁଏ
ସବୁ ଲାଗେ ନୂଆନୂଆ।
କେତେ ବା ରହିବ ଅନ୍ଧାରିଆ ଘରେ
ନିଜ ଗଣ୍ଠିଲିକି ଜଗି।
ବାହାରେ ଗୋଲାପ ଗୋଲାପୀ ହସରେ
ଅନାଇଛି ତୁମ ଲାଗି।
ଗୁଣୁଗୁଣୁ ନାଦେ ଝରକା ସେପାଖେ
ମଧୁପ କରଇ ଅଳି।
ଫୁଲକଳିକାର ପରଶ ପାଇଁକି
ଖୁସିରେ ପଡେ ଉଛୁଳି।
ଝରକା ଫାଙ୍କରେ ତୁମ ମନ ଅଳି
ଉଡିଉଡି ଚାଲିଯାଉ।
ମନମାନସୀର ପରଶ ପାଇଣ
ଆନନ୍ଦେ ମଗନ ହେଉ।
ବାଦଲ ଉହାଡେ ଡାକୁଛି ଚନ୍ଦ୍ରମା
ବାହାରକୁ ଯିବାପାଇଁ।
ଜୋଛନା ସରରେ ପହଁରି ପହଁରି
ତୋଳିବାକୁ ନୀଳକଇଁ।
କାମ, କ୍ରୋଧ, ଲୋଭ,ମୋହ ଦଉଡିରେ
ମନଟା ହୋଇଛି ଛନ୍ଦା।
ବାହାରେଟି ଦେଖ ମୁକ୍ତିର ଆନନ୍ଦ
ବାଣ୍ଟୁଛି ରଜନୀଗନ୍ଧା।
ରୁଦ୍ଧ ପଞ୍ଜୁରୀରେ ମନପକ୍ଷୀ ତୁମ
କରୁଛି ପରା ବିଳାପ।
ଉଡିଯିବାପାଇଁ ଖୋଲା ଆକାଶକୁ
ଆଡେଇ ସଂସାର ଚାପ।
ଘରର ଝରକା ଖୋଲାଅଛି ସତ
ମନ ଝରକାରେ ତାଲା।
କିପରି ଉଡିବ ମନର ମଇନା
ଆକାଶ ହେଲେ ବି ଖୋଲା।
ମୁକ୍ତ ଆକାଶର ବିହଙ୍ଗଟି ତୁମେ
କାହିଁକି ହୋଇଛ ବନ୍ଧା।
ମନର ଝରକା ଖୋଲି ଉଡିଯାଅ
ଡାକୁଛି ରଜନୀଗନ୍ଧା।