STORYMIRROR

Sunita Sahoo

Others

3  

Sunita Sahoo

Others

ଝରା ଶେଫାଳୀ

ଝରା ଶେଫାଳୀ

1 min
159


ଶୁଣି ପାରୁଛ କି !

ଝରା ଶେଫାଳୀର ଅନ୍ତଃସ୍ଵରକୁ

ନିରୋଳା ରଜନୀର ନିର୍ଜନତା ତଳେ

ବୁକୁଫଟା ସେ ଆର୍ତ୍ତ ସ୍ଵରକୁ....

ଅଳ୍ପାୟୁ ଜୀବନର ବାସ୍ନାକୁ

କେତେ ବା ଆଘ୍ରାଣ କରେ ସେ !

ଅଭିଶପ୍ତା ସେ କେଉଁ ଦୁର୍ବାସ ର

ମୃତ୍ୟୁର ଅଦାଲତରେ ହାରି ଯାଇଥିବା

ଅତୃପ୍ତ କୋଳାହଳ ସେ

ନିଜ ଭିତରେ ନିଜକୁ ସାଉଁଟି ନିଏ...

ଦେଖି ପାରୁଛ କି !

ତା ସଫେଦ ସୁନ୍ଦରତା ପଛରେ

ସେ ନାରଙ୍ଗୀ ଅଭିମାନକୁ

ଯନ୍ତ୍ରଣାରେ ଛଟପଟ ତା କଅଁଳିଆ ମନକୁ

ସଞ୍ଜ ସଳିତାକୁ ଆମନ୍ତ୍ରଣ କରୁଥିବା

ସଦ୍ୟ ପ୍ରସ୍ଫୁଟିତ ସେଇ ବିରହୀ କଳିଟିକୁ

ଜହ୍ନ ଜୋଛନାରେ ହଜି ଯାଉ ଯାଉ

କେତେବେଳେ ସରିଯାଏ

ତା କ୍ଷୀଣ ଆୟୁଷ ଟିକକ,

ଆଜୀବନ ତୃଷାର୍ତ୍ତ ସେ

ନିଜ ଭିତରେ ନିଜେ ହିଁ ହଜିଯାଏ....

କହି ପାରିବ କି....!

କେତେ ଆଉ ଋତୁ ବଦଳିଲେ

ମୁକ୍ତ ହେବ ସେ ଦୁର୍ବାର ପିପାସା

ବଞ୍ଚିବାର ମୋହ ଟିକକ,

କିଏ ଦେବ 'ତଥାସ୍ତୁ'ର ବରଦାନ

ସକାଳକୁ ଆଲିଙ୍ଗନର ଅଭିଳାଷ ପାଇଁ,

କିଏ ବିଞ୍ଚିଦେବ ଆଲୁଅର ରଙ୍ଗରୁ ମେଞ୍ଚାଏ

ତା ଲିଭି ଆସୁଥିବା ସଳିତା ଦେହରେ

କାଲି ପାଇଁ ତଥାପି ସେ ହସେ

ସଞ୍ଜକୁ ଫେରିବାର ପ୍ରତିଶ୍ରୁତି ଦିଏ

ନିଜ ଭିତରେ ଜନ୍ମନିଏ ନୂଆ ଉନ୍ମାଦନାଟିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍