ଝରା ଶେଫାଳି
ଝରା ଶେଫାଳି
ମାଗିଥିଲି ଦିନେ ଈଶ୍ବରଙ୍କ ପାଖେ
ଜନମ କ୍ଷଣକ ପାଇଁ
ପରହିତେ ମୁହିଁ ଲାଗିବି କାମରେ
ସେ ପାଇଁ ଆସିଛି ଧାଇଁ।
ମୋର ଇଛା ଆଶା ଈଶ୍ବର ଶୁଣିକି
ତଥାସ୍ତୁ କରିକି ଦିନେ
ଧନ୍ଯ କରିଦେଲେ ଝରା ଶେଫାଳି ମୁଁ
ନିତ୍ଯ ହିଁ ଯାଉଛି ଧ୍ଯାନେ।
ରାତ୍ରିରେ ଫୁଟିକି ମଉଳି ଯାଉଛି
ସୌରଭ ଚୌଦିଗେ ବୁଣି
ନୈଶଚରଙ୍କର ମନକୁ କିଣୁଛି
ଆନନ୍ଦେ ହେଉଛି ଗୁଣି।
ଅତି ଛୋଟ ଫୁଲ ମୁହିଁ ସଂସାରରେ
ମୋ'ପରି ଅଛି କେ'କୁହ
ମୋ'କର୍ମର ଫଳ ଭୋଗି ମୁଁ କୃତାର୍ଥ
ବୁହାଏ ନା କେବେ ଲୁହ।
ପ୍ରତିକ୍ଷଣ ମୁହିଁ ନିଜକୁ ହଜାଏ
ସୌରଭ ବାଣ୍ଟିବା ପାଇଁ
ଭଲପାଉ କିଏ ଅଥବା ନ କରୁ
ସେ'ପାଇଁ ଭୃକ୍ଷେପ ନାହିଁ।
ଜଗତ କଲ୍ଯାଣ କରୁଛି ବୋଲି ମୁଁ
ହୃଦୟେ ସଦା ଭାବୁଛି
ହୀନ ଭାବିବନି ହେ'ମର୍ତ୍ତ୍ଯ ମାନବ
ଯୋଗାଉବି ବାଛିବାଛି।
ଯଦି ହୃଦୟରେ କାହାର ରହିଛି
ମୋ'ଉପରେ ନୀଚ୍ଚଭାବ
ରାତ୍ରିରେ ଫୁଟିବା ନିଶା ତ ମୋହର
କ୍ଷମାଦେବ ଯେତେ ଜୀବ।
ନିଜ କ୍ଷମତାରେ ବାସ ଚହଟାଏ
ଆକାଶେ ସୂର୍ଯ୍ଯଙ୍କ ପରି
ଖଦ୍ଯୋତିକା ଯେହ୍ନେ ନିଜର ଶକ୍ତିରେ
ଆଲୋକ ବୁଣୁଛି ଧରି।
ଯାହାକୁ ଯେମିତି ଦଇବ ଗଢି଼ଛି
ତାକୁ କେ'କରିବ ଆନ
ସୁନ୍ଦର ସୃଷ୍ଠିରେ ନିଜର ସୌରଭ
ଦେଇ ହୋଇଯାଅ ଧନ୍ଯ।
ପୂଣ୍ଯ ଅଧିକାରୀ ସେହି ହୋଇଥାଏ
ଯିଏ ପର ପାଇଁ କାମ
ଛୋଟ ହେଲେ ହେଉ ସାଧ୍ଯ ମତେ କରେ
ମନକୁ ନ କରି ଭ୍ରମ ।