ଜହ୍ନମାମୁଁ
ଜହ୍ନମାମୁଁ
ଅମ୍ବର ଶୋଭାକୁ ବହୁଗୁଣ କରି
ତୋଫା ତୋଫା ଦିଶୁଥାଓ,
ସଭିଙ୍କ ମନକୁ କିଣି ନିଅ ତୁମେ
ତାରା ମେଳେ ହସୁଥାଓ।
ବିଜ୍ଞାନ କହୁଛି ଉପଗ୍ରହ ହେଲେ
ମାନେନା ଏଇ ମୋ ମନ,
ମା' କହୁଥିଲା ତୁମେ କାଳେ ମାମୁଁ
ଦୂର ଆକାଶର ଜହ୍ନ।
ଅଝଟ ହେଲେ ମୁଁ ବୁଝାଉଥିଲା ମା
ଜହ୍ନମାମୁ ବୋଲି କହି,
ତୁମକୁ ଦେଖାଇ ଶୋଇ ଦେଉଥିଲା
ନାନା ବାୟା ଗୀତ ଗାଇ।
ଖାଉ ନ ଥିଲେ ମୁଁ ଖୁଆଉଥିଲା ମା'
ଜହ୍ନମାମୁ ଡାକି ଡାକି ,
ଅନେକ କହିଛି ମୋ ହାତରେ ଆସି
ଖସି ପଡିବା ପାଇଁକି।
ଧରିବା ପାଇଁ ମୁଁ ବଢାଇଲି ହାତ
ତୁମେ କିନ୍ତୁ ଥିଲ ଦୂର,
ଧରା ଦେଲ ନାହିଁ ମୋର ଟିକି ହାତେ
ଆକାଶରେ ମାର ଠାର।
ନିଶାରେ ଆସୁଛ ଉଷାରେ ଯାଉଛ
ନୀତିନିୟମକୁ ମାନି,
ତୁମେ ତୁମ ସ୍ଥାନେ ଅଟଳ କାହିଁକି
ଏବେ ମୁ ପାରୁଛି ଜାଣି।
ଅଝଟ ମୋ ମନ ବୁଝି ସାରିଲାଣି
ଜୀବନର ଗୂଢ଼ ତତ୍ତ୍ୱ,
ଯିଏ ଯାହା ସ୍ଥାନେ ରହିଥିଲେ ସିନା
ବଢ଼ଇ ତା'ର ମହତ୍ତ୍ୱ।
ପ୍ରୀତିପ୍ରିୟା ମହାନ୍ତି
ଶିକ୍ଷୟିତ୍ରୀ
ମୟୂରଝାଲିଆ,ରଣପୁର,ନୟାଗଡ଼
