ଝଙ୍କାର
ଝଙ୍କାର
ବିରାମ ନନେଇ ଏମିତି ଚାଲିଛି
ଯୁଗଯୁଗ ଗଲା ବିତି
ଚାଲୁଚାଲୁ ଝୁଣ୍ଟି ହାରିବା ପରେ ମୁଁ
ଅଟକି ଯାଇଛି ନିତି ।
ଆହତ ହେଲେ ବି ହସିବାକୁ ହୁଏ
ଯେପରି ହୋଇଛି ଭୋଳ
ମହୁ ବୋଲି କିଏ ପିଆଇ ଦେଇଛି
ଜୀବନର ବିଷଘୋଳ ।
ବହୁଦିନ ତଳେ ଚାନ୍ଦିନୀ ଡାକିଲା
ବାଟରେ ରୋଶଣି ଜାଳି
ଯାହା କୁହ ମୋତେ ଲୁହର ନିର୍ଝର
ସେଦିନୁ ଦେଇନି ଢାଳି ।
କୂଳେ ଠିଆ ହୋଇ ଏମିତି କିପାଇଁ
ଡାକୁଛ ଗୋ ଉଚ୍ଚସ୍ବରେ
ମଝି ଧାରେ ଦେଖ ଜଣାନାହିଁ କିଏ
ଦୁଇଗୋଡ଼ ଟାଣି ଧରେ ।
ରଙ୍ଗୀନ କବଚ ଆବରଣ ମୋର
ଫିଙ୍ଗିବି ଓହ୍ଲାଇ ଧୀରେ
ଦୀପ ତଳେ ଥିବା ଅନ୍ଧାର ଦେଖିଛି
ବିସର୍ଜି ଦେବି କି ନୀରେ ।
ମୋ' ହୃଦ ଦୁଆରେ ସବିନୟ କିଏ
ନଗାଉ ବନ୍ଦନା ଗୀତ
ଦେଖିବ ଗୋ ଦିନେ ଦିବ୍ୟତା କିଭଳି
ସ୍ବତଃ ହେବ ପ୍ରକାଶିତ ।
ହୃଦଗତ ଭାବ ନିତ୍ୟ ବିଚଳିତ
କରେ ସିନା ପ୍ରତିକ୍ଷଣେ
ଅନୁବାଦ ପାଇଁ ତହୁଁ କିଛି ତଥ୍ୟ
ରହେନାହିଁ ଆଉ ମନେ ।
ପ୍ରଥମ ଥର ମୁଁ ନୀରବ ସାଜିଛି
ଅନ୍ତର ଉଠେ ଗୋ କାନ୍ଦି
ବୀଣାଟିଏ ଧରି ଭ୍ରମରେ ପଡିଛି
ଝଙ୍କାରେ ପାରୁନି ବାନ୍ଧି ।