ଝିଅଟା ବୋଧେ ଏତେ ମାତ୍ରାରେ ମନେଇଁ
ଝିଅଟା ବୋଧେ ଏତେ ମାତ୍ରାରେ ମନେଇଁ
ଅତି ଫୁଲେଇ
ଟିକେ ଫାଜିଲି
ଭାରି ଅମାନିଆଁ
ସୁଦୁ ଖିଆଲି
ଏକଦମ ମନେଇଁ
ମୁଠା ମୁଠା ଯନ୍ତ୍ରଣା ଫିଙ୍ଗୁଥିବା
ଶାଗୁଆ ରଙ୍ଗକୁ ଭଲ ପାଉଥିବା
ପାଣିରେ ସବୁବେଳେ ଚବଚବ୍ ହେଉଥିବା
ଅତି ଚଗଲି ଝିଅଟିର ନାଁ ବର୍ଷା।।
ଆକାଶ ଛାତିରେ ଡିଏଁ
କାନ ଅତଡା ଶବ୍ଦ କରି
ବାଦଲ ସଙ୍ଗେ ଲୁଚକାଳି ଖେଳେ
ସେ ଫିକକିନା ହସିଦେଲେ--
ଇନ୍ଦଧନୁ ଉଏଁ,
ରାଗିଲେ ବନ୍ୟା,ବାତ୍ୟାରେ ପୋତି ପକାଏ
ତାର ଢଳ ଢଳ ନୀଳ ଆଖି
ଘନ କୁନ୍ତଳ ବେଣୀ କାଳିଦାସ ପରି କବିଙ୍କ ହୋସ୍ ଉଡାଏ।
ତା ସ୍ପର୍ଶ ଜଳାଏ ନିଆଁ
ମାଟି ବି ହେଇ ଯାଏ ପାଣି ପାଣି
ହୃଦୟ ସବୁଜ ସବୁଜ
ଚାଷୀ ମୁହଁରେ ଆଙ୍କି ଦିଏ
ମହଣ ମହଣ ଆନନ୍ଦର ଚୁମା
ଅଙ୍କୁରୋଦ୍ଗମ ସ୍ଵପ୍ନରୁ ଉଠି ପଡେ
ଛତା, ପଖିଆ,ବର୍ଷାତି
ସଫା ଟପା ହୁଅନ୍ତି କେବଳ ମାତ୍ର ତା ଛୁଆଁ ଟିକେ ପାଇଁ
ହଳ ଟ୍ରାକ୍ଟର ଗୀତ ଗାଆନ୍ତି ତା ଆସିବା ଖୁସିରେ।।
ଆଞ୍ଚ ପୋଡା ମକା, ମୁଢ଼ି ନଡ଼ିଆ,ସୋରିଷ ତେଲ
ଖାଇବାକୁ ଭାରି ଭଲ ପାଏ
କଦମ୍ବ ଫୁଲରେ ଅହେତୁକ ମମତା ତାର
ବେଙ୍ଗ,ଝିଙ୍କାରି,ସାଧବବୋହୂ, ତେଲୁଣି ପୋକ
ବେଙ୍ଗ ଫୁଲା, ଗେଣ୍ଡା ବନ୍ଧୁ ତାର ପସନ୍ଦ
ସେ ଆସିଲେ "କଳା ଜହ୍ନ"
ରଥରେ ବସନ୍ତି
ରାକ୍ଷୀ ମାନେ ଭାଇ ପକେଟ ଦରାଣ୍ଡନ୍ତି
କାଉଡି କାନ୍ଧ ହୁଏ କାଉଡ଼ିଆ କାନ୍ଧେ
ଶିବମୟ ହୋଇଯାଏ ମାଟିରୁ ଆକାଶ।।
ସେ କାଗଜ ଡଙ୍ଗାର ଗୋଟିଏ ଝୁମିଲା ନିଶାପେଗ
ଗାଁ ଦାଣ୍ଡ ସୁଅର" ପାଣି ଫୋଟକା"--
ଜୀବନ ଏମିତି ସତ୍ୟର ଦର୍ଶନଟିଏ'
ସୃଷ୍ଟି ସ୍ଥିତିର ପ୍ରଥମ ଆବଶ୍ୟକତା
ସମ୍ଭାବନାର ମେଞ୍ଚାଏ ମାଦକତା
ପ୍ରଳୟ ତାଣ୍ଡବ ନିପୁଣ ନୃତ୍ୟାଙ୍ଗନା
ତା ବିନା ଜୀଵ ଜଗତ ବନ୍ଧ୍ୟା
ଯଦିଓ ଝିଅଟା ମନେଇଁ
ସୃଷ୍ଟିର ମୂଳାଧାର କିନ୍ତୁ
ଆଜିକାଲି ତା ପ୍ରିୟତମ ଜଙ୍ଗଲ
ଖଣ୍ଡିଆଖାବରା ଶେଷ ନିଃଶ୍ଵାସ ପକାଇ
ତା ମନେ କିଛି ସ୍ଵପ୍ନ ବୁଣୁ ନାହିଁ!!!
ଦିନୁ ଦିନୁ ଝିଅଟା ବୋଧେ ସେଇ ରାଗେ
ଏତେ ମାତ୍ରାରେ ମନେଇଁ......
ସତ୍ୟବତୀ,ସ୍ୱାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର।
(ବର୍ଷା ପାଇଁ କବିତା)
