ଝିଅଙ୍କ ପୁନେଇଁ
ଝିଅଙ୍କ ପୁନେଇଁ
ଆହେ ଲୀଳାମୟ ଲୀଳା ତ ବିଚିତ୍ର
ମଣିଷ ପାଇଁ ଅଜଣା,
କାହା ପାଇଁ କେଉଁ କାର୍ଯ୍ୟ ରଖିଥାଉ
ତୋତେ ହିଁ କେବଳ ଜଣା ।
ଝିଅପାଇଁ ସୃଷ୍ଟି ସର୍ଜନାଟି ହୁଏ
ଝିଅକୁ ତିଆରି କଲୁ,
ମାତୃଗର୍ଭେ ସ୍ଥାନ ପାଇବା ପାଖରୁ
ତା ପାଇଁ କାମ ରଖିଲୁ ।
ଘର ପରିବାର ବାପା ମାଆ ମଧ୍ୟ
ପୁଅକୁ ଆଶା ରଖନ୍ତି,
ଝିଅଟିଏ ଯଦି ହେବାର ଜାଣନ୍ତି
ମଥାରେ ହାତ ଦିଅନ୍ତି ।
ତୋ କୃପା ବଳରେ ଜନମ ତ ହୁଏ
ବସୁମାତା କୋଳେ ପଡେ
କାହାରି ମନରେ ନଥାଏ ଯେ ଶାନ୍ତି
ମନେ ଚିନ୍ତା ତାଙ୍କ ବଢେ ।
ବାତ୍ସଲ୍ୟ ମମତା ଜାଗିଉଠେ ଯେବେ
ଝିଅଟିର ହସ ଦେଖି
ତା ଦାୟିତ୍ୱ କଥା ମନେ ପଡିଗଲେ
ଜକେଇ ଆସେ ଯେ ଆଖି ।
ମାଆର ସେନେହେ ବନ୍ଧା ତା ଜୀବନ
ଦିନକୁ ଦିନ ସେ ବଢେ,
କେତେ ସପନ ଯେ ବାନ୍ଧିଥାଏ ମନେ
ସେଇ ସପନ ବି ଛିଡେ ।
ଝିଅଟିଏ ପରା ଘରର ଲକ୍ଷ୍ମୀ ଯେ
ମନକୁ ବୁଝାଉ ଥାନ୍ତି,
ପାଠ ବି ପଢିବ ପର ଘର ଯିବ
କାହିଁ ବସି ଭାବୁଥାନ୍ତି।
ଝିଅ ମନ କଥା କେହି ବୁଝେନାହିଁ
ବାପା ,ମାଆ,ଭାଇ ଠାରୁ
ଦାୟିତ୍ୱ ପରା ସେ ମୁଣ୍ଡରେ ଆମର
ବିଦା ହେବ ଆମଠାରୁ ।
ମନରେଯେ କେତେ ଆଶା ରଖିଥାଏ
କୁଆଁରୀ ଜୀବନେ ତାର
ରାଜକୁମାର ଟି ପାଇବ ସତେକି
ଭାବୁଥାଏ ସେ ମନର ।
ଶିବଙ୍କୁ ପୂଜିବ ବର ସେ ପାଇବ
ଯିବ ପୁଣି ଶିବାଳୟ,
ଭାଗ୍ୟ ତାର ଯଦି ତା ସାଥୀ ନ ଦେବ
ଭାଙ୍ଗିବ ସ୍ୱପ୍ନ ଆଳୟ ।
ସ୍ୱପ୍ନକୁ ସାକାର କରିବା ପାଇଁ କି
ଜହ୍ନକୁ ପୂଜିବ ରହି
ଚାତକଟି ପରି ଚାହିଁ ବସି ଥା'ନ୍ତି
ଆସିବ କେବେ ପୂନେଇଁ
ବରଷକୁ ଥରେ କୁମାର ପୂର୍ଣ୍ଣମୀ
ଆନନ୍ଦଟି ଦେଇଥାଏ,
କୁମାରୀ ସପନପୂ ରଣ ପାଇଁକି
ସେହି ଦିନଟିଏ ଥାଏ।
ତୁଳସୀ ମାତାଙ୍କୁ ପାକ୍ଷୀ ରଖିକରି
ଜହ୍ନକୁ ସେ ପୂଜୁଥାଏ
ରାଜକୁମାର ଟି ଆସିବ ଜୀବନେ
ମନରେ ତା ଭାବୁଥାଏ ।
ସମସ୍ତ କର୍ମଟି ସମର୍ପି ଦିଏ ସେ
ଚାନ୍ଦ ପୂଜାଟିଏ କରି,
ମନର କଥାକୁ କହି ଦେଇଥାଏ
ଟିକିଏ ନକରି ଡେରି ।
