ଝିଅ
ଝିଅ
ଝିଅ ନୁହେଁ ଧରା ପାରିଜାତ ସେହି,
ସୌରଭରେ ତାର ମହକଇ ମହୀ ।
ଫୁଲ ହୋଇ ତାକୁ ଦିଅ ରହିବାକୁ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।
କଳୀରୁ ପୁଷ୍ପିତ ହୁଏ ଯେତେବେଳେ,
ଉନ୍ମୁକ୍ତ ପାଖୁଡା ଖେଳେ ସେତେବେଳେ,
ତୁଳିରେ ରଙ୍ଗ କେ ଭରିଦିଏ ତାକୁ !
ବୃନ୍ତଚ୍ୟୁତ କେହି କରନି ତାହାକୁ ।
ମନ ଭରି ବାସ୍ନା କରନ୍ତୁ ଆଘ୍ରାଣ,
ପ୍ରଫୁଲ୍ଲିତ ହେଉ ଦେହ ମନ ପ୍ରାଣ ।
ଦେଖ, କିନ୍ତୁ ସ୍ପର୍ଶ କରନି ତାହାକୁ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।
ଫୁଲଟିଏ ସିଏ ସନମାନ କର,
ଦଳିବାର ଇଚ୍ଛା ଅବନତ କର ।
ଗୌରବର ସହ ଦିଅ ଝୁଲିବାକୁ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।
କମନୀୟ ରୂପ ସ୍ଵପ୍ନିଳ ଆକାର,
କରନାହିଁ କେହି ତାକୁ ନାରଖାର,
ସୁନ୍ଦର ସେ ଫୁଲ, ଫୁଲ ହୋଇ ଥାଉ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।
ତାହାର ବି ଅଛି ବୁଦ୍ଧି, ମନ, ପ୍ରାଣ,
ଅନ୍ୟର ଅପେକ୍ଷା ବେଶୀ ବା ସମାନ ।
ହସି ଖେଳୁ ଥାଉ ସେ କାଳ କାଳକୁ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।
ତୁମ ଇଚ୍ଛା ତାକୁ ହାତରେ ଧରିବ,
ଦଳିବ, ମନ୍ଥିବ, ରକ୍ତାକ୍ତ କରିବ ।
ପରିହାର କର ଏପରି ଇଚ୍ଛାକୁ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।
ତା’ର ଇଚ୍ଛା ହେଲେ ଆପେ ଧରା ଦେବ,
ଘରର ଅଗଣା ସୁଶୋଭିତ ହେବ ।
ଲୁଣ୍ଠନ କରନି ପବିତ୍ର ପୁଷ୍ପକୁ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।
ପ୍ରଭୁ ପାଦ ତଳେ ଶୋଭା ପାଇବାକୁ,
ଆସିଅଛି ସିଏ ଏ ଧାରା ଧାମକୁ ।
ଭାଗୀ ହୁଅ ନାହିଁ ଚୋରୀ ପାତକକୁ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।
ଝାଉଁଳି ପଡ଼ିବ ଆପେ ଦିନେ ସେହି,
ଫଳ ଜନ୍ମ କରି ଖୁସି ଭରିଦେଇ ।
ହିଂସାତ୍ମକ ଭାବ ଦେଖାନି ତାହାକୁ,
ବୃନ୍ତଚ୍ୟୁତ କେହି କରନି ତାହାକୁ ।