ଜଗତ ଠାକୁର
ଜଗତ ଠାକୁର
ସତ୍ୟ, ଧର୍ମ ଆଉ ନ୍ୟାୟର ପଥରେ
ମଣିଷ ମାୟାରେ ହୁଅଇ ବାଇ ,
ସତ୍ୟର ପଥରେ ମିଳଇ ଯନ୍ତ୍ରଣା
ମଣିଷକୁ ମାରେ ମଣିଷ ହାଇ ।
ନ୍ୟାୟର ଆଶାଟି ମୃଗତୃଷ୍ଣା ସମ
ମେଣ୍ଟେନାହିଁ ଏଠି କାହାରି ତୃଷା ,
ଧର୍ମ , ଅଧର୍ମର ଦୋ ଛକି ରାସ୍ତାରେ
ମଣିଷ କରଇ କେବଳ ଆଶା ।
କର୍ମରେ ଭରସା ଧର୍ମରେ ଜିଜ୍ଞାସା
ଶ୍ରଦ୍ଧାକୁ ସାଉଁଟି ଗଡ଼େ ବୟସ,
ଗୋଧୂଳି ବେଳାରେ ସନ୍ଧ୍ୟାଦୀପ ଦେଇ
ପ୍ରଭୁପଦେ ରଖେ ନିଜ ବିଶ୍ୱାସ ।
ନିଆଶ୍ରୀ ଜୀବନ ହୁଏ ଢଳଢଳ
ଜଳେ ପଡ଼ି ନିଶ୍ଚେ ଯିବ ମିଳେଇ ,
ବିଶ୍ଵାସ ଶ୍ରଦ୍ଧାରେ ପ୍ରଣାମ କରୁଛି
ପ୍ରଭୁ ସତ୍ ପଥେ ନେବ କଢ଼େଇ ।
ଶୀତ ସକାଳର ଶିଶିରର ସମ
କ୍ଷଣ ଭଙ୍ଗୁର ଏ ଜୀବନ ମୋର ,
କେ ' କରେ ଆଦର ଅବା ଅନାଦାର
ତୁମ ଛଡ଼ା ଅବା କିଏ ନିଜର ।
ଜୀବନ ବେଳାରେ ସ୍ମୃତି ଅନୁଭୂତି
ବଳବନ୍ତ, ବଳୀୟାନ ସେ ଅତି ,
ସବୁଠୁଁ ଉର୍ଦ୍ଧ୍ବରେ ଜଗତ ଠାକୁର
ତୁମ କୃପା ବିନା ନାହିଁ ମୁକତି ।
